ବଢୁଛି କୋଚିଂ, ଟ୍ୟୁଶନର ଚାହିଦା

ନୟାଗଡ଼,୬।୮(ଲୋକନାଥ ମିଶ୍ର)ସରକାରୀ ଅଧ୍ୟାପକମାନେ କୋଚିଂ ସେଣ୍ଟର, ଟିଉଶନ, ବ୍ୟକ୍ତିଗତ ଟିଉଶନ, ଆବାସିକ କଲେଜରେ ସମୟ ଦେଇ ଘଣ୍ଟାକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିବାରେ ଲାଗି ପଡିଛନ୍ତି । ସେପଟେ ମୋଟା ଅଙ୍କର ଦରମା ପାଉଥିଲେ ହେଁ କଲେରେ ପାଠ ପଢ଼ାଇବାକୁ ଭୁଲି ଯାଉଛନ୍ତି । ଏଣୁ ନୟାଗଡ଼ ଜିଲାରେ ଥିବା ଏକାଧିକ କଲେଜରେ ଆଉ ପାଠପଢ଼ା ହେଉ ନ ଥିବା ଅଭିଯୋଗ ହୋଇଛି ା ହେଲେ ଏ ସଂକ୍ରାନ୍ତରେ କେହି ପ୍ରଶ୍ନ କରୁ ନାହାନ୍ତି । ଅନ୍ୟପକ୍ଷେ ନିଜ କଲେଜର ଅଧ୍ୟାପକଙ୍କ ପାଖରେ କୋଚିଂ ନେଲେ ପ୍ରାକ୍ଟିକାଲ, ଥିଓରୀରେ ଭଲ ନମ୍ବର ମିଳୁଛି। ଭଲ ନମ୍ବର ଓ ଚାପର ବଶବର୍ତ୍ତି ହୋଇ କେତେଜଣ ଅଭିଭାବକ ନିଜ ଝିଅପୁଅଙ୍କୁ ଅଧ୍ୟାପକଙ୍କ ପାଖକୁ ଛାଡିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷେ ଛାତ୍ରୀଛାତ୍ର ନିଜ କଲେଜର ଅଧ୍ୟାପକଙ୍କ ପାଖରେ ଟିଉଶନ ନ କଲେ ପ୍ରାକ୍ଟିକାଲ ଓ ଥିଓରୀରେ ନମ୍ବର କାଟିଦେବା ଓ ଫେଲ ହେବାର ଧମକ ମିଳୁଛି । ହେଲେ ଅଭିଯୋଗର ସ୍ବର ନରମି ଯାଉଛି । ଏଭଳିସ୍ଥଳେ କଲେଜର ଅଧ୍ୟକ୍ଷଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ ବୋଲି ବାରମ୍ବାର ଅଭିଯୋଗ ହେଉଛି ା
ଏନେଇ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ସମାଜତତ୍ତ୍ୱ ବିଭାଗ ଅଧ୍ୟାପିକା ପ୍ରୀୟମ୍ବଦା ଦାଶ କୁହନ୍ତି, ପ୍ରାଇଭେଟ କୋଚିଂ ହେବା ଦ୍ୱାରା କଲେଜରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ ରହୁଛି । କଲେଜରେ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ ରହୁ ନାହିଁ । ନିଜେ ପଢ଼ିବା ଓ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି କମି ଯାଉଛି । ଛାତ୍ରୀଛାତ୍ର ବହି ପଢ଼ୁ ନାହାନ୍ତି । କେବଳ ପରୀକ୍ଷା ଉପଯୋଗୀ କ୍ଷୁଦ୍ର ପ୍ରଶ୍ନ ଉତ୍ତର କରୁଛନ୍ତି । କଲେଜର ଅଧ୍ୟକ୍ଷମାନେ ଅଧ୍ୟାପକଙ୍କ କାର୍ଯ୍ୟ ଉପରେ ଦୃଷ୍ଟି ନ ଦେବାରୁ କୋଚିଂ ସେଣ୍ଟର ବଢ଼ି ଚାଲିଛି । ଗରୀବରୁ ଗରୀବ ଛାତ୍ରୀଛାତ୍ର କୋଚଂ ସେଣ୍ଟରରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। କଲେଜରେ ପାଠପଢ଼ାର ମାନ କମି ଯାଉଛି । ତଥାପି ଏହା ସମାଜରେ ସମୟ ଉପଯୋଗୀ ବୋଲି ସେ କହିଛନ୍ତି। ବୋଲଗଡ କଲେଜର ଅବସରପ୍ରପାପ୍ତ ପ୍ରାଧ୍ୟାପକ କୈଳାଶ ବାଣ୍ଠ କୁହନ୍ତି କୌଣସି ଅଧ୍ୟାପକ ପାଇଭେଟ କୋଚିଂରେ ପାଠ ପଢ଼ାଇ ପାରିବେ ନାହିଁ । ଏହା ପ୍ରମାଣିତ ହେଲେ ଅଧ୍ୟାପକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୂୁଷ୍ଠାନ ନେବା ପାଇଁ ସୁପାରିଶ ହୋଇପାରିବ । ତେବେ କଲେଜର ଅଧ୍ୟକ୍ଷ ଓ ରାଜନୀତି ଲୋକଙ୍କୁ ହାତ ବାରିଶି କରି ଅଧ୍ୟାପକମାନେ ଆଇନକୁ ଶୀତଳଭଣ୍ଡାରକୁ ଫୋପାଡି ବେଆଇନ ଭାବେ ଟିଉଶନ କରି ଚାଲିଛନ୍ତି। ନିଜେ ଅଧ୍ୟାପକ ଟିଉଶନ, କୋଚିଂ ସେଣ୍ଟର ମାଲିକ ହୋଇ ପାଠ ପଢ଼ାଉଛନ୍ତି। ଛାତ୍ରୀଛାତ୍ର ବୁଝି ନ ପାରିଲେ କଲେଜରେ ଟିଉଟୋରିଆଲ ଓ ପ୍ରୋକ୍‌ଟିରିଆଲ କ୍ଲାସ ବ୍ୟବସ୍ଥା ଅଛି। ଏକଷ୍ଟ୍ରା କ୍ଲାସ କରିବାର ମଧ୍ୟ ସୁବିଧା କରାଯାଇ ପାରିବ। ହେଲେ ଏହାକୁ ଅଧ୍ୟକ୍ଷ କାର୍ଯ୍ୟକାରୀ କରୁ ନାହାନ୍ତି । ସେହିପରି ଅଧ୍ୟାପକଙ୍କ ପ୍ରୋଗ୍ରେସ ରିପୋର୍ଟକୁ ଅଧ୍ୟକ୍ଷ ତର୍ଜମା କରୁ ନାହାନ୍ତି । କୋର୍ସ କେତେ ବାକି ରହିଲା, କେବେ ଶେଷ ହେବ, କାହିଁକି ଶେଷ ହେଉ ନାହିଁ, ଛାତ୍ରୀଛାତ୍ର କିପରି ଭଲ ପଢ଼ିବେ ସେନେଇ ମଧ୍ୟ ପଦକ୍ଷେପ ନାହିଁ । ଏଣୁ ମାନସିକତାରେ ପରିବର୍ତ୍ତନ ନ ଆସିଲେ ସୁଧାର ଆସିବନି। ସରକାର କରିଥିବା ନିୟମକୁ କଡାକଡି ପାଳନ କରିବା ଦରକାର ବୋଲିି କହିଛନ୍ତି। ରଣପୁରର ଶିକ୍ଷାବିତ୍‌ ଅଭୟ କୁମାର ମହାପାତ୍ର କୁହନ୍ତି, ବେଆଇନ କାମ ଗୁଡାକ ଆଇନତଃ ଠିକରେ ଚାଲିଛି। ଶିକ୍ଷା ଏକ ଧାର୍ମିକ ବୃତ୍ତି । ଶିକ୍ଷାଦାନକୁ ରୋଜଗାରର ମାଧ୍ୟମ କରାଯାଉଥିବାରୁ ଏପରି ଅଚଳାବସ୍ଥା ଦେଖା ଦେଇଛି। ସରକାର ଏହାର ତର୍ଜମା କରି କଲେଜର ପାଠପଢ଼ାକୁ ବଦଳାଇବାକୁ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ।