ପରିବା ଦରକୁ ନେଇ ଚିନ୍ତାରେ ଖାଉଟି

ବୁଗୁଡ଼ା,୮ା୭(କାଳୀଚରଣ): ସରକାର ଜନସାଧାରଣଙ୍କ ହିତ ସାଧନ ଲକ୍ଷ୍ୟରେ ଯୋଜନାମାନ କରିଚାଲିଛନ୍ତି। ତେବେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ଯୋଗାଉଥିବାର ଡିଣ୍ଡିମ ପିଟୁଥିବା ବେଳେ କୃଷିଜାତ ଦ୍ରବ୍ୟ ଅଭାବି ବିକ୍ରି ସମୟରେ କିଭଳି ଗଚ୍ଛିତ ରହିବ ଏବଂ ନିଅଣ୍ଟିଆ ସମୟରେ କିପରି ସଦୁପଯୋଗ କରାଯାଇପାରିବ ସେଥିପାଇଁ ଶୀତଳଭଣ୍ଡାର ଭଳି କୌଣସି ବ୍ୟବସ୍ଥା ବୁଗୁଡ଼ା ଅଞ୍ଚଳରେ ନ ଥିବାରୁ ଅଧିକାଂଶ ସମୟରେ ପରିବା ଦର ଅନିୟନ୍ତ୍ରଣ ଅବସ୍ଥାକୁ ଚାଲିଯାଉଛି। ଏବେ ବୁଗୁଡ଼ା ଅଞ୍ଚଳରେ ଦିନକୁ ଦିନ ପରିବା ଦର ବୃଦ୍ଧି ପାଇ ଆକାଶଛୁଆଁ ହୋଇଛି। ଖୁଚୁରା ବଜାରରେ ଟମାଟର କିଲୋ ୧୨୦, ଫୁଲକୋବି ଓ କଲରା ୮୦ , ପୋଟଳ ୭୦ , ଝୁଡ଼ଙ୍ଗ – ଗୁଆଁର – ସଜନା ଛୁଇଁ ୬୦, କାଙ୍କଡ଼-କଞ୍ଚା କଦଳୀ-ଜହ୍ନି – ଭେଣ୍ଡି ୫୦, ଅମୃତଭଣ୍ଡା – ତୋରଡ଼ା – ସାରୁ – ବିଟ୍‌-କାକୁଡ଼ି – ଗାଜର – ବନ୍ଧାକୋବି – ବାଇଗଣ ୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଅଦା କି.ଗ୍ରା. ପ୍ରତି ଦର ୧୧୦ ଟଙ୍କା, ରସୁଣ ଓ କଞ୍ଚାଲଙ୍କା ୧୨୦, ସିମ୍‌ଲା ଲଙ୍କା ଦର ୧୬୦ ଟଙ୍କା ରହିଛି । ପ୍ରାୟ ସମସ୍ତ ପରିବା ଦର ୩୦ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଥିବା ବେଳେ ଆଳୁ ଓ ପିଆଜ ଦର ଏଥିରୁ ବାଦ୍‌ ପଡିଛି । ତେବେ ଏହି ମହଙ୍ଗା ମାଡ଼ ଯୋଗୁ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ହଇରାଣ ହରକତ ହେଉଛନ୍ତି।