ରାଜନଗର, ୧୧।୮ (ଭାସ୍କର ରାଉତରାୟ): ମୌସୁମୀର ଆଗମନରେ ଚଳିତ ବର୍ଷ ଜୁଲାଇ ମାସଠାରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦେଶୀୟ ପକ୍ଷୀଙ୍କ ସମାଗମରେ ପକ୍ଷୀବିହାର ଭିତରକନିକାର ଶୋଭା ଦ୍ୱିଗୁଣିତ ହେବାରେ ଲାଗିଛି। ପ୍ରାୟ ୧୦ ପ୍ରକାରର ଦେଶୀୟ ପକ୍ଷୀ, ବିଶେଷକରି ଅଞ୍ଜନା, ସାମୁଦ୍ରିକ ଛଞ୍ଚାଣ, ୮ ପ୍ରକାରର ମାଛରଙ୍କା, ସୁଅସାରି, ୫ ପ୍ରକାରର ବଗ ପ୍ରଭୃତି ପକ୍ଷୀଙ୍କ ସମାଗମ ହୋଇଛି।
ଏହି ପକ୍ଷୀମାନେ ଲୁଣା ଜଙ୍ଗଲରେ ବସା ବାନ୍ଧି ଅଣ୍ଡା ଦେବା ସହ ଛୁଆ ଫୁଟିବାର ମନୋରମ ଦୃଶ୍ୟ ପକ୍ଷୀପ୍ରେମୀଙ୍କୁ ଆନମନା କରିଦେଉଛି।
ଚଳିତ ମାସ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିତରକନିକା ଜାତୀୟ ଉଦ୍ୟାନରେ ବନ ବିଭାଗର କର୍ମଚାରୀମାନେ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ। ଚଳିତ ବର୍ଷ ମୋଟ ୧,୩୨,୨୭୯ଟି ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି।