Categories: ଜାତୀୟ

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ଏହାକୁ ନେଇ ରାଜନୈତିକସ୍ତରରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ଦାଖଲ ହୋଇଥିବା ସତ୍ୟପାଠ ଆଧାରରେ ଏହି ନୋଟିସ୍‌ ଜାରି କରାଯାଇଛି। ଉଦ୍ଧବଙ୍କ ସହିତ ଆଦିତ୍ୟ ଠାକ୍‌ରେ ଏବଂ ଏନ୍‌ସିପି ନେତା ସୁପ୍ରିୟା ସୁଲେଙ୍କ ପାଖକୁ ମଧ୍ୟ ଆୟକର ନୋଟିସ୍‌ ପଠାଯାଇଥିବା ଜଣାପଡ଼ିଛି। ସତ୍ୟପାଠରେ ଆୟ ସମ୍ପର୍କିତ ସୂଚନା ଭୁଲ ଦିଆଯାଇଥିବା ନେଇ ଏଭଳି କରାଯାଇଥିବା କୁହାଯାଉଛି। କୃଷି ବିଧେୟକକୁ ଏନ୍‌ସିପି ଏବଂ ଶିବସେନା ପକ୍ଷରୁ ବିରୋଧ କରାଯାଉଥିବାବେଳେ ଆୟକର ନୋଟିସ ନେଇ ଏବେ ରାଜନୈତିକ ପରିବେଶ ଉଷ୍ଣ ହେବାରେ ଲାଗିଛି।

Share