ବିନା ଅନୁମତିରେ ୩୮ ଏସି ଲାଗିବା ଘଟଣା: ଏଡିଏମ୍‌ଙ୍କ ନେତୃତ୍ୱରେ ତଦନ୍ତ

ଅନୁଗୋଳ ଅଫିସ୍‌, ୫।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜିଇଡି)ର ବିନା ଅନୁମତିରେ ୩୮ଟି ଏସି ଲଗାଯାଇଥିବା ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଶନିବାର ମେଡିକାଲରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଚିକିତ୍ସାଳୟ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ, ଆସିଷ୍ଟାଣ୍ଟ କଲେକ୍ଟର ସୁବ୍ରତ ବେହେରା, ଡିଏମଏଫ୍‌ ବିଭାଗର ବିତ୍ତ ଅଧିକାରୀ ଏ ସଂକ୍ରାନ୍ତରେ ଖୋଳତାଡ଼ କରିଛନ୍ତି। ଟେଣ୍ଡରଠାରୁ ଆରମ୍ଭ କରି ଜିଇଡିର ଅନୁମତି ସମ୍ପର୍କରେ ତନାଘନା କରାଯାଇଛି। ଏହି ସମୟରେ ସିଡିଏମ୍‌ଓ, ମେଡିକାଲ ମ୍ୟାନେଜର ପ୍ରମୁଖଙ୍କ ସହ ଏସି କିଣିଥିବା ଠିକା କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।
ଏସି ଲଗାଇବା ପୂର୍ବରୁ ଜିଇଡିର ଅନୁମତି ନିଆଯାଇ ନ ଥିବା, ଜଣେ ବ୍ୟକ୍ତିଙ୍କୁ ଦୁଇଟି ଅଲଗା ଟେଣ୍ଡର କରି ଏସି କିଣାଯାଇଥିବା, ଏ ନେଇ ମେଡିକାଲ ମ୍ୟାନେଜରଙ୍କୁ ଅବଗତ କରାଯାଇ ନ ଥିବା ସମ୍ପର୍କିତ ପ୍ରମାଣ ତଦନ୍ତକାରୀ ଟିମ୍‌ ହାତରେ ଲାଗିଥିବା ଜଣାପଡିଛି। ଏପରି କି ମେଡ଼ିକାଲ ମ୍ୟାନେଜର ଏ ବାବଦରେ ଅବଗତ ନ ଥିବା କଥା ତଦନ୍ତକାରୀ ଟିମ୍‌ ଲିଖିତ ଭାବେ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଦୀର୍ଘ ଦେଢ଼ ଘଣ୍ଟା ଧରି ଠିକା କର୍ମଚାରୀ ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ପରେ ଏସି ଲାଗିଥିବା ସ୍ଥାନଗୁଡ଼ିକ ତଦନ୍ତକାରୀ ଟିମ୍‌ ପରିଦର୍ଶନ କରିବା ସହ ଫଟୋ ଉଠାଇଥିଲେ। ଏଥିସହ ଏସି ସମ୍ପର୍କିିତ ବିଭିନ୍ନ ଦସ୍ତାବିଜ୍‌ ସଂଗ୍ରହ କରି ନେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଜିଇଡିର ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ତଦନ୍ତକାରୀ ଟିମ୍‌ କହିଛି।
ଏ ନେଇ ସିଡିଏମ୍‌ଓ ଅଭୟ କୁମାର ଦାସ କହିଛନ୍ତି, ବିନା ଅନୁମତିରେ ଲଗାଯାଇଥିବା ଏସିଗୁଡ଼ିକ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳଙ୍କ ସହ ଏକ ଟିମ୍‌ ଆସି ଘଟଣାର ତଦନ୍ତ କରିଛନ୍ତି। ସୂଚନାଯୋଗ୍ୟ, ମେଡିକାଲରେ ବିନା ଅନୁମତିରେ ୩୮ ଏସି ଲଗାଯାଇଥିବା ସମ୍ପର୍କରେ ଗତ ଜୁନ୍‌ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି।