କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ ବଢ଼ିଯିବାରୁ ଦଳ ସଫା କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ମୃତ ଶ୍ରମିକ ହେଉଛନ୍ତି ମାଲୁଅ ଗ୍ରାମର ବାବୁଲି ସେଠୀ। ସେହିପରି ଗୁରୁତର ଆହତ ଉକ୍ତ ଗ୍ରାମର ପିତାମ୍ବର ସେଠୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଘଟଣାରୁ ଉଦ୍ଧାର ପାଇଥିବା ବିଶ୍ୱସୁନ୍ଦର ସେଠୀଙ୍କ କହିବା ଅନୁସାରେ, ଜିଲା ଡ୍ରେନେଜ ବିଭାଗ ପକ୍ଷରୁ ଗୋବରୀ ନଦୀରେ ଜମିଥିବା ଦଳ ସଫା କରିବା ପାଇଁ ମୋଟ ୮ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି ସମୟରେ ନଦୀରେ ବନ୍ୟାଜଳର ସ୍ରୋତ ହଠାତ୍ ବଢ଼ିଯାଇଥିଲା। ଫଳରେ କଢ଼ାଯାଇଥିବା ଦଳ ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା।
ଏଥିରେ ୬ ଜଣ ଶ୍ରମିକ ଉଦ୍ଧାର ପାଇଥିବାବେଳେ ବାବୁଲି ସେଠୀ ଓ ପିତାମ୍ବର ସେଠୀ ଦଳ ଭିତରେ ଚାପି ହୋଇ ରହିଯାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ବାବୁଲି ସେଠୀଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ, ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଡ୍ରେନେଜ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି।