ଧାର ଟଙ୍କା ପାଇଁ ଯୁବକଙ୍କୁ ବାନ୍ଧି ସ୍କୁଟି ପଛରେ ଦୌଡ଼ାଇବା ଘଟଣା: ୨ ଅଭିଯୁକ୍ତ ଗିରଫ

କଟକ ଅଫିସ,୧୮ା୧୦:ଧାର ନେଇଥିବା ଟଙ୍କା ଶୁଝି ନ ପାରିବାରୁ ଶାସ୍ତିବିଧାନ ସ୍ବରୂପ ଜଣେ ଯୁବକଙ୍କୁ ହାତବାନ୍ଧି ଦଉଡ଼ି ଦ୍ୱାରା ବାଇକ ପଛରେ ଦୌଡ଼ାଇବା ଭଳି ବର୍ବର କାଣ୍ଡ ରବିବାର ସନ୍ଧ୍ୟାରେ କଟକ ସହରରେ ଦେଖିବାକୁ ମିଳିଥିଲା। ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଘଟିଚାଲିଥିବା ବେଳେ କେହି ଏହାର ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରି ନ ଥିଲେ। ତେବେ ଏହି ଘଟଣା ନେଇ ସମ୍ପୃକ୍ତ ଯୁବକ ବିଡ଼ାନାସୀ ଥାନା ଅନ୍ତର୍ଗତ ଶ୍ରୀବିହାର କଲୋନୀରେ ରହୁଥିବା ରାଣୀହାଟ ଶିକାରି ସାହିର ଜଗନ୍ନାଥ ବେହେରା (୨୨) ସୋମବାର ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୋଲିସ ଏକ କେସ୍‌ (ନଂ. ୨୪୭/୨୨) ରୁଜୁ ସହ ଉକ୍ତ କାଣ୍ଡ ଭିଆଇଥିବା ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସୂତାହାଟର ସେକ୍‌ ହୁସେନ (୨୪) ଓ ସେକ୍‌ ଛୋଟୁ (୧୮)। ଦୁହେଁ ବ୍ୟବହାର କରିଥିବା ଆକ୍ଟିଭା ସ୍କୁଟି ଓ ଟେଣ୍ଟ କପଡ଼ାକୁ ପୋଲିସ ଜବତ କରିଛି।
ସୂଚନା ଅନୁଯାୟୀ, ସେକ୍‌ ହୁସେନ ଓ ସେକ୍‌ ଛୋଟୁ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଜଗନ୍ନାଥଙ୍କ ହାତକୁ ଏକ ଲମ୍ବା ଟେଣ୍ଟ କପଡ଼ାରେ ବାନ୍ଧି ଅପର ମୁଣ୍ଡକୁ ସ୍କୁଟି ପଛରେ ବାନ୍ଧିଥିଲେ। ଅଭିଯୁକ୍ତଦ୍ୱୟ ଏକ ସ୍କୁଟି ଚଳାଉଥିବାବେଳେ ଜଗନ୍ନାଥଙ୍କୁ ଷ୍ଟିଓ୍ବାର୍ଟ ପାଟଣା ଛକରୁ ସ୍କୁଟି ପଛରେ ଦୌଡ଼ାଇ ଆଣିଥିଲେ। ଦୁଇ ଅଭିଯୁକ୍ତଙ୍କ ନିକଟରେ ଜଗନ୍ନାଥ ଅସହାୟ ହୋଇପଡ଼ିଥିଲେ। ସେମାନେ ଜଗନ୍ନାଥଙ୍କୁ ଭୟଭୀତ କରାଇ ଅତ୍ୟନ୍ତ ଅମାନବୀୟ ଭାବେ ସ୍କୁଟି ପଛରେ ବାନ୍ଧି ୨ କିଲୋମିଟରରୁ ଅଧିକ ବାଟ ଦୌଡ଼ାଇଥିଲେ। ସେମାନେ ଜଗନ୍ନାଥଙ୍କୁ ନେଇ ଶେଷରେ ସୂତାହାଟ ଛକରେ ପହଞ୍ଚତ୍ଥିଲେ। ସେଠାରେ କେତେଜଣ ବିଶିଷ୍ଟ ବ୍ୟକ୍ତି ଘଟଣାରେ ହସ୍ତକ୍ଷେପ କରିବା ପରେ ଜଗନ୍ନାଥ ମୁକୁଳିଥିଲେ। ତେବେ ମାତ୍ର ୧୫୦୦ ଟଙ୍କା ଉଧାର ପାଇଁ ଏଭଳି ଘଟଣା ଘଟିଥିଲା। ସେକ ହୁସେନ ପ୍ରାୟ ମାସକ ତଳେ ଜଗନ୍ନାଥଙ୍କୁ ଏହି ଟଙ୍କା ଧାର ଦେଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣା ସମୟରେ ଚଣ୍ଡୀଛକ ଟ୍ରାଫିକ ଡ୍ୟୁଟିରେ ଥିବା ହାବିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ୭ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ତେବେ ଡିସିପି ପିନାକ ମିଶ୍ର କହିଛନ୍ତି, ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ଏ ନେଇ ପଚରାଉଚରା କରାଯାଇଛି, କିନ୍ତୁ କାହାରିଙ୍କୁ ନୋଟିସ ଜାରି କରାଯାଇନାହିଁ।