ରହସ୍ୟରୁ ହଟୁନି ପରଦା

ଭେଡ଼େନ,୨୯।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ଗତ ୧୭ ତାରିଖରେ ସଙ୍ଗଠିତ ଟ୍ରିପଲ ମର୍ଡର ଘଟଣାକୁ ୧୧ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ପୋଲିସର ତଦନ୍ତ ମୃତକମାନଙ୍କ ସମ୍ପର୍କୀୟଙ୍କୁ ଥାନାକୁ ଡକାଇ କେବଳ ପଚରାଉଚରା କରିବାରେ ସୀମିତ ରହିଛି। ହତ୍ୟାକୁ ନେଇ କୌଣସି ଠୋସ୍‌ ସୁରାକ୍‌ ପାଇବାରେ ପୋଲିସ ଏଯାଏ ସମର୍ଥ ହୋଇନାହିଁ। ଅନ୍ୟପକ୍ଷେ ବିଭିନ୍ନ ଦିଗରୁ ସନ୍ଦେହ ଘେରରେ ରହିଥିବା ଟଙ୍କଧରଙ୍କ ସମ୍ପର୍କୀୟ ଭଣଜାଙ୍କୁ ପୋଲିସ ଏଯାଏ ଠାବ କରିପାରିନାହିଁ। ସମ୍ପତି ଲୋଭରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିର୍ପୋଟ ଆସିଲା ପରେ ଘଟଣାର ଅଧିକ ତଥ୍ୟ ଜଣାପଡ଼ିବ ଏବଂ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିବା ଏସ୍‌ଡିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି। ଏ ନେଇ ଭେଡ଼େନ ଥାନାରେ ଦଫା ୩୦୨ରେ ଏକ ମାମଲା (ନଂ.୧୨୯।୨୩) ରୁଜୁ କରି ପୋଲିସ ହାତ ବାନ୍ଧି ବସିଛି। ସେହିପରି ଦେହେରିପାଲି ଗ୍ରାମରୁ ଯୁବତୀ ଅପହରଣ ଘଟଣାର ପର୍ଦ୍ଦାଫାଶ କରିବାରେ ପୋଲିସ ଏଯାଏ ସକ୍ଷମ ହୋଇନାହିଁ।
ପ୍ରକାଶ ଯେ, ଗତ ୧୭ ତାରିଖ ସୋମବାର ବିଳମ୍ବିତ ରାତିରେ ଆଖିଫୁଟା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ପରିବାରର ମୁଖ୍ୟ ଟଙ୍କଧର ସାହୁ(୭୦) ଏବଂ ତାଙ୍କ ସ୍ତ୍ରୀ ଦ୍ରୈାପଦୀ (୬୫) ଓ ମାଧବୀ(୪୫)। ପରଦିନ ଖବର ପାଇ ପୋଲିସ ଅନୁସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଥିଲା। ଟଙ୍କଧରଙ୍କ ପରିବାର ସହ କାହାର କଳିଗୋଳ କିମ୍ବା ମନୋମାଳିନ୍ୟ ନ ଥିବା ପଡ଼ୋଶୀ ଗଣ୍ଠିଆପାଲି ଗ୍ରାମର ସତ୍ୟନାରାୟଣ କୁଦେଇ କହିଛନ୍ତି। ଆଖିଫୁଟା ଟ୍ରିପଲ ମର୍ଡ଼ର ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଗତ ୨୧ ତାରିଖରେ ଦେହେରିପାଲି ଗ୍ରାମରୁ ଯୁବତୀ ଅପହରଣ ଘଟଣା ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏହି ଘଟଣାକୁ ମଧ୍ୟ ସାତ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ରହିଛି। ମୋବାଇଲ ଫୋନ ଟ୍ରାକିଂ କରାଯାଉଥିବା ତଦନ୍ତ ଦାୟିତ୍ୱରେ ଥିବା ଏସ୍‌ଆଇ ଦୟାନିଧି ପାତ୍ର କହିଛନ୍ତି। ତେବେ ଭେଡ଼େନ ଥାନା ଅଞ୍ଚଳରେ ଘଟିଯାଉଥିବା ଗୋଟିଏ ପରେ ଗୋଟିଏ ଅପରାଧର ରହସ୍ୟ ଉନ୍ମୋଚନ ହୋଇପାରୁ ନ ଥିବା ବେଳେ ପୋଲିସ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି।