ପିଲାଙ୍କ ବହି ବିକିବା ଘଟଣା: ସିଆର୍‌ସିସି ନିଲମ୍ବିତ

ଖୋର୍ଦ୍ଧା ଅଫିସ/ବୋଲଗଡ଼,୨୬।୪(ଡି.ଏନ୍‌.ଏ.) କବାଡ଼ିଆଙ୍କୁ ପିଲାଙ୍କ ବହି ବିକ୍ରି କରିବା ଘଟଣାରେ ମଙ୍ଗଳବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ ଦେଉଳି କ୍ଲଷ୍ଟରର ସିଆର୍‌ସିସି ମନମୋହନ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କୁ ପୂର୍ବ କାର୍ଯ୍ୟସ୍ଥଳୀ ତାଳତୁମ୍ବସ୍ଥିତ ପଶ୍ଚିମଦେବ ସରକାରୀ ଉଚ୍ଚ ବିଦ୍ୟାଳୟକୁ ପଠାଇ ଦିଆଯାଇଛି। ଭୀମପଡ଼ା ସିଆରସିସି ରବୀନ୍ଦ୍ର ନାଥ ବେହେରାଙ୍କୁ ଦେଉଳି କ୍ଲଷ୍ଟର ପରିଚାଳନା ନିମନ୍ତେ ଅତିରକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ଘଟଣାର ବିଭାଗୀୟ ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ଡ.ନିରଞ୍ଜନ ମହାନ୍ତି କହିଛନ୍ତି।
ପ୍ରକାଶ ଯେ, ଦେଉଳି ସତ୍‌ମାର୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ କ୍ଲଷ୍ଟର କାର୍ଯ୍ୟାଳୟକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ବହିକୁ ସୋମବାର ସିଆର୍‌ସିସି ମନମୋହନ କବାଡ଼ିଆଙ୍କୁ ବିକ୍ରି କରୁଥିଲେ। ଏହି ସମୟରେ କେତେଜଣ ଗ୍ରାମବାସୀ ପହଞ୍ଚି ବହି ବିକ୍ରିକୁ ବିରୋଧ କରିବା ସହ ସିଆର୍‌ସିସି ଓ କବାଡିଆଙ୍କୁ ଅଟକ ରଖିଥିଲେ। ଖବରପାଇ ପଞ୍ଚାୟତ ସମିତିସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ପହଞ୍ଚତ୍ ଘଟଣା ସମ୍ପର୍କରେ ବିଇଓଙ୍କୁ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ। ବିଇଓ ଅନ୍ୟ କାମରେ ବାହାରେ ଥିବାରୁ ଏବିଇଓ ସିଦ୍ଧେଶ୍ବର ସାହୁ ଏବଂ କୈଳାସ ନାଥ ସ୍ବାଇଁଙ୍କୁ ଘଟଣାର ତଦନ୍ତ ପାଇଁ ପଠାଇଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ବହି ବିକ୍ରି ପାଇଁ ଉଦ୍ୟମ ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଦୁଇ ଏବିଇଓ ବହିଗୁଡ଼ିକ ଜବତ କରିବା ସହ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଥିଲେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କଠାରୁ ସିଆର୍‌ସିସି ମନମୋହନ ଓ କବାଡିଆଙ୍କୁ ମୁକୁଳାଇଥିଲେ। ମଙ୍ଗଳବାର ବିଇଓ ମହାନ୍ତି ଦୁଇ ଏବିଇଓଙ୍କ ପ୍ରାଥମିକ ରିପୋର୍ଟ ଓ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ସିଆର୍‌ସିସି ମନମୋହନଙ୍କୁ ନିଲମ୍ବିତ କରିଥିଲେ। ତେବେ ଏ ସମ୍ପର୍କରେ ବିଇଓ ମହାନ୍ତି କୁହନ୍ତି, ଜବତ ହୋଇଥିବା ବହି ଚଳିତ ଶିକ୍ଷାବର୍ଷର କିମ୍ବା ପୁରୁଣା ବହି ତଦନ୍ତ କରାଯିବ। ସେ ପୁରୁଣା ବହି ବିକ୍ରି ଲାଗି ମସୁଧା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ରିପୋର୍ଟ ଯାହା ଆସିବ, ତଦନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।