ଖବରଦାତାଙ୍କୁ ହତ୍ୟାଧମକ ଘଟଣା:ଅତିରିକ୍ତ ଏସ୍‌ପିଙ୍କୁ ଭେଟିଲେ ସାମ୍ବାଦିକ ସଂଘ କର୍ମକର୍ତ୍ତା

ବେହେରା, ୩୦।୯(ଭୂପେଶ ତିୱାରୀ)-ଏକ ଦୈନିକ ଖବର କାଗଜର କଳାହାଣ୍ଡି ଜିଲା କୋକସରା ବ୍ଲକ ପ୍ରତିନିଧିଙ୍କୁ ହତ୍ୟା ଧମକ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦେଷୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଶୁକ୍ରବାର ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ସାକ୍ଷାତ କରିଛନ୍ତି।
କୋକସରା ବ୍ଲକର କେତେକ ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ବାମୀ ନିଜକୁ ସରପଞ୍ଚ ପ୍ରତିନିଧି ବୋଲାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଏକ ଖବର ପ୍ରସାରଣ ହୋଇଥିଲା। ଏହା ପରେ ସରପଞ୍ଚମାନଙ୍କ ସ୍ବାମୀମାନେ ଉତ୍‌କ୍ଷିପ୍ତ ହୋଇ ଖବରଦାତା ଜଣଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଆକ୍ରମଣ କରିଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ୫ଜଣଙ୍କ ନାମରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଥିବାବେଳେ ଏହି ଘଟଣାକୁ ନେଇ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରାଯାଇଛି। ଖବରଦାତାଙ୍କୁ ହତ୍ୟାଧମକ ଓ ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିବା ଜଣାପଡିଛି।