ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ଜଣଙ୍କର ପରିଚୟ ମିଳି ନ ଥିବାରୁ ପୋଲିସ ୭୨ ଘଣ୍ଟା ପରେ ହରିହର ଯୋର କୂଳରେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଛି। ତେବେ ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ସେମାନଙ୍କ ମୃତଦେହ ମହାନଦୀକୁ ଆସିଲା, ତାହା ଜଣାପଡି ନାହିଁ। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପରିଚୟ ମିଳିଥିବା ମୃତକ ହେଲେ ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ବଙ୍ଗୁଆମୁଣ୍ଡା ଗ୍ରାମର ସୋନୁ ସିଂଙ୍କ ପୁଅ ନରେଶ ସିଂ(୨୭)। ପରିବାର ବର୍ଗ ବୀରମହାରାଜପୁର ଆସି ଶବଗାରରେ ମୃତଦେହ ଚିହ୍ନଟ କରିବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅନ୍ୟଜଣଙ୍କର ପରିଚୟ ମିଳି ନ ଥିବାରୁ ବ୍ୟକ୍ତିଙ୍କ ମୃତଦେହ ମାଜିଷ୍ଟ୍ରେଟ ତଥା ବୀରମହାରାଜପୁର ଡେପୁଟି କଲେକ୍ଟର ଶୁଭମ୍‌ ଶିବାଶିଷ ଶତପଥୀଙ୍କ ଉପସ୍ଥିତିରେ ସୁବଳୟା ଥାନା ଏସ୍‌ଆଇ ସଞ୍ଜୀବ ବସ୍ତିଆ, ଏସଆଇ ସୁରଞ୍ଚି ସେଠୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ହରିହର ଯୋର କୂଳରେ ଅନ୍ତିମ ସଂସ୍କାର କରାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସୁବଳୟା ମହାନଦୀ ଫେରିଘାଟ ନିକଟରେ ୨ଟି ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରି ସୁବଳୟା ପୋଲିସକୁ ହସ୍ତାନ୍ତର କରିଥିଲା। ପରେ ବୀରମହାରାଜପୁର ଏସ୍‌ଡିପିଓ ହେମନ୍ତ ରାଓଙ୍କ ସମେତ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ସୁବଳୟା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୬/୨୬) ରୁଜୁ ହୋଇଥିଲା। ମଙ୍ଗଳବାର ସା ହୋଇଯିବାରୁ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ବୁଧବାର ପୂର୍ବାହ୍ନରେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଉଭୟ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପରିଚୟ ମିଳି ନ ଥିବାରୁ ବ୍ୟବଚ୍ଛେଦ ପରେ ଉଭୟ ମୃତଦେହକୁ ଶବାଗାରରେ ରଖାଯାଇଥିଲା।

ଇତିମଧ୍ୟରେ ଜଣକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଅନ୍ୟପକ୍ଷେ ସେହି ଦିନ ସୁବଳୟା ନିକଟରୁ ପୋଲିସ ୩ଟି ଦାମୀ ଗାଡ଼ି ଓ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାରେ କିଛି ବ୍ୟକ୍ତି ଫେରାର ଥିବା ଚର୍ଚ୍ଚା ହେଉଛି। ଦୁଇ ଘଟଣାର ସମୟକାଳ ପ୍ରାୟ ସମାନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉଭୟ ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। କେତେକ ମହଲରେ ମୃତଦେହ ଦୁଇଟି ଗଞ୍ଜେଇ ମାମଲାରେ ଫେରାର ଥିବା ବ୍ୟକ୍ତିଙ୍କ ସହ ସମ୍ପୃକ୍ତ ଅଛି କି ନାହିଁ, ତାହା ଏବେ ଚର୍ଚ୍ଚା ହେଉଛି।

ତେବେ ୨ ମୃତଦେହ ଉଦ୍ଧାର ଘଟଣା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପରିଚୟ ଓ ତଦନ୍ତର ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

Share