ପୋଲିସ ଗୁମର ଖୋଲିଲେ ବ୍ୟବସାୟୀ

ବାଲେଶ୍ୱର,୨୧ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ଜଣେ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ନେଉଥିବା ବେଳେ ଗତ ୧୯ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ ମାମଲା (ନଂ. ୧୮।୨୩) ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ନରହରି ନାୟକ ସୂଚନା ଦେଇଥିଲେ। ଅନ୍ୟପଟରେ ପୋଲିସର ଅଧିକାରୀମାନେ ଟଙ୍କା ପାଇଁ ମାନସିକ ଚାପ ଦେବା ସହ ବାରମ୍ବାର ବାଧ୍ୟ କରୁଥିଲେ। ପୋଲିସ ଅଧିକାରୀଙ୍କ ମଧ୍ୟରେ ଡିଏସ୍‌ପି, ଆଇଆଇସି, ଏସ୍‌ଆଇ, ଏଏସ୍‌ଆଇ, ଆଇଆଇସିଙ୍କ ଡ୍ରାଇଭର ସାମିଲ ଥିବା ଶୁକ୍ରବାର ଅପରାହ୍ନରେ ଘରୋଇ ହୋଟେଲ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ୟବସାୟୀ ନବ କୁମାର ରାୟ ପ୍ରକାଶ କରିଛନ୍ତି।
ବିଗତ ଦୁଇବର୍ଷ ଧରି ସରକାରଙ୍କ ନୀତି ନିୟମ ଅନୁସାରେ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ନିଲାମ ମାଧ୍ୟମରେ ନେଇ ବଳରାମଗଡ଼ି ଓ ପାତ୍ରପଡ଼ାରେ କରିଆସୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ସଦର ଏବଂ ଚାନ୍ଦିପୁର ଥାନାର ଅଧିକାରୀମାନେ ମାସିକିଆ ବଟି ସହ ବିଭିନ୍ନ ସମୟରେ ଦାମୀ ମଦ ମାଗୁଥିଲେ। ମଦ ଦୋକାନରେ କାର୍ଯ୍ୟରତ ଜଣେ ଯୁବକ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବାକୁ ନେଇ ପୋଲିସ ଆକ୍ରୋଶମୂଳକ ଉକ୍ତ ମାମଲାରେ ବ୍ୟବସାୟୀ ଶ୍ରୀ ରାୟଙ୍କୁ ସାମିଲ କରାଇ ଗିରଫ କରିଥିଲେ। ନିର୍ଦ୍ଦୋଷ ବୋଲି ପୋଲିସକୁ ସମସ୍ତ ପ୍ରମାଣ ଦେବା ପରେ ମଧ୍ୟ କୌଣସି କଥାକୁ ଗ୍ରହଣ ନ କରି ଅନ୍ୟାୟ ପୂର୍ବକ କୋର୍ଟ ଚାଲାଣ କରିଥିଲେ। ଅନ୍ୟପଟରେ ବ୍ୟବସାୟକୁ ନେଇ ବାରମ୍ବାର ବଟି ମାଗିବା, ପ୍ରତିମାସ ବଟିର ପରିମାଣ ବୃଦ୍ଧି କରିବା, ପ୍ରତିଦିନ ମଦ ମାଗିବା ଭଳି ଉଭୟ ଥାନାର ଅଧିକାରୀଙ୍କଠାରୁ ଆରମ୍ଭ କରି ଡ୍ରାଇଭର ପର୍ଯ୍ୟନ୍ତ କରିଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଚାନ୍ଦିପୁର ଥାନାର ଦୁଇ ଅଧିକାରୀଙ୍କୁ ଟଙ୍କା ନେଉଥିବା ବେଳେ ଗିରଫ କରିଥିଲା। ପ୍ରକୃତରେ ଉକ୍ତ ଥାନାର ଅନ୍ୟ ଜଣେ ଅଧିକାରୀ ବର୍ତ୍ତି ଯାଇଛନ୍ତି। ତାଙ୍କ ବିରୋଧରେ ବହୁ ପ୍ରମାଣ ସହ କଲ୍‌ ରେକର୍ଡ଼, ଟଙ୍କା ଦେବାନେବାର କଥାବର୍ତ୍ତା, ଭିଡ଼ିଓ, ହ୍ବାଟ୍‌ସଆପ୍‌ ଚାଟିଂ ସଂଗ୍ରହ କରି ଦେଖାଇ ଥିଲେ ଏବଂ ତାଙ୍କ ଠାରୁ କିପରି ଭାବେ ଟଙ୍କା ଲୁଟୁଥିଲେ ସମସ୍ତ ଘଟଣା ପ୍ରକାଶ କରିଥିଲେ। ଉକ୍ତ ଅଧିକାରୀଙ୍କ ବିରୋଧରେ ପୋଲିସ ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଯଦି କୌଣସି ଅଘଟଣ ଘଟେ ତେବେ ପୋଲିସ ଦାୟୀ ରହିବ ବୋଲି ଖବରଦାତା ସମ୍ମିଳନୀରେ ବ୍ୟବସାୟୀ ରାୟ ପ୍ରକାଶ କରିଛନ୍ତି।