ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ଼ ମାଡ଼ିବସିଥିଲା। ତାଙ୍କ ଦଶାହ ଶୁଦ୍ଧିକ୍ରିୟା ପାଇଁ ପରିବାର ଲୋକଙ୍କ ପାଖରେ ଆବଶ୍ୟକ ସମ୍ବଳ ନାହିଁ। ନୂଆପଡ଼ା କଲେଜରେ ଯୁକ୍ତ ୨ ପଢୁଥିବା ଗୋବିନ୍ଦଙ୍କ ବଡ ଝିଅ ହେପି ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଛୋଟ ଭଉଣୀ ଓ ଭାଇଙ୍କୁ ନେଇ ଗାଁରେ ଲୋକଙ୍କୁ ଭିକ୍ଷା ମାଗିଥିଲେ। ‘ବାପାଙ୍କ ଦଶାହ ପାଇଁ ଭିକ୍ଷା ମାଗୁଛନ୍ତି ଝିଅପୁଅ ‘ ଶୀର୍ଷକ ଖବର କେବଳ ଧରିତ୍ରୀ ବ୍ରହ୍ମପୁର ସଂସ୍କରଣ ଶୁକ୍ରବାର ସଂଖ୍ୟାରେ ପ୍ରକାଶନ ପରେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଗୌଡ଼ଗାଁ ନୂଆସାହି ସ୍ଥିତ ସ୍ବର୍ଗତ ଗୋବିନ୍ଦଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଅତିରିକ୍ତ ତହସିଲଦାର କାଳୀ ଚରଣ ଧଳ, ସହକାରୀ ରାଜସ୍ବ ନିରୀକ୍ଷକ ଶିବାଶିଷ ପଟ୍ଟନାୟକ, ରାଜସ୍ବ କର୍ମଚାରୀ ଓ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିରୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।
ବୃଦ୍ଧା ମା’ ଶଶୀ ମହାରଣା, ମସ୍ତିଷ୍କ ବିକୃତ ସ୍ତ୍ରୀ ଛବିରାଣୀ, ଦୁଇ ଝିଅ ଓ ଛୋଟ ପୁଅକୁ ନେଇ ଗୋବିନ୍ଦଙ୍କ ପରିବାର। କାଠ ମିସ୍ତ୍ରୀ ଭାବେ କାମ କରି ଗୋବିନ୍ଦ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ସେ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ଦାରିଦ୍ର୍ୟ ର ତାଡ଼ନା ସତ୍ତ୍ବେ ବଡ଼ ଝିଅ ଓ ସାନ ଝିଅ ଉଭୟେ ମେଧାବୀ। ହେଲେ ପାଠ ପଢା ସାମଗ୍ରୀ କିଣିବା ପାଇଁ ଆବଶ୍ୟକ ଅର୍ଥ ସାଜିଛି ବାଧକ। ବସ ଭଡା ଦେବାପାଇଁ କେବେ କେବେ ପାଖରେ ପଇସା ନ ଥିଲେ ମେଧାବୀ ଯୁକ୍ତ ୨ ଛାତ୍ରୀ ନୂଆପଡ଼ା କଲେଜକୁ ଯାଇ ନ ପାରି ଘରେ ପଢନ୍ତି।କିଛି ସହପାଠୀଙ୍କ କଲେଜ ନୋଟ୍ ବୁକ୍ ମାଗି ଆଣି ସେ ତାଙ୍କ ପ୍ରଶ୍ନ ଉତ୍ତର ଅଭ୍ୟାସ କରୁଥିବା ହେପି କହିଛନ୍ତି। ପ୍ରତିମାସରେ ରାଶନ୍ କାର୍ଡରେ ମିଳୁଥିବା ଚାଉଳ ଅଧାମାସରେ ସରି ଯାଉଛି। ବୃଦ୍ଧା ପିଉସୀ ହାରାମଣି ଗାଁ ମନ୍ଦିରରେ କାମକରି ଆଣୁଥିବା ଅର୍ନ ପ୍ରସାଦରେ କୁଟୁମ୍ବ ମଧ୍ୟାହ୍ନ ଭୋଜନ କରୁଛନ୍ତି। ରାତିରେ ସାହି ପଡୋଶୀ ସେମାନଙ୍କ ବଳକା ଖାଦ୍ୟ ସେମାନଙ୍କ ଭରସା ପାଲଟିଛି। ବେଳେ ବେଳେ ନିଜେ ପେଟପୁରା ରାତ୍ରି ଭୋଜନ ନକରି ବଡ ଭଉଣୀ ହେପି ତାଙ୍କ ସାନ ଭାଇ ଓ ଭଉଣୀଙ୍କୁ ଖୁଆଇ ଦେବା ପରେ ପାଣି ପିଇ ଶୋଇପଡନ୍ତି ବୋଲି ତାଙ୍କ ପିଉସୀ କହିଛନ୍ତି । ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର କମୁଥିବା ନେଇ ସରକାର ଓ କିଛି ଅର୍ଥନୀତିଜ୍ଞ ଦାବି କରୁଥିବା ବେଳେ ଦୁଃଖ ଦୈନ୍ୟ ରେ କାଳାତିପାତ କରୁଥିବା ସ୍ବର୍ଗତ ଗୋବିନ୍ଦଙ୍କ ପରିବାର ଅବସ୍ଥା ଦେଖିଲେ ଗରିବ ଲୋକଙ୍କ ଆର୍ଥିକ ମାନଦଣ୍ଡ ସହଜରେ ବୁଝିହେବ ବୋଲି ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ କ୍ଷୋଭର ସହ କହିଛନ୍ତି।

