ଦିଗପହଣ୍ଡି,୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଉଦଯାପନୀ ଦିବସ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ଘଟିଯାଇଛି ଅଘଟଣ। ଅସ୍ଥାୟୀ ଯାତ୍ରା ପୀଠ ନିକଟ ରାସ୍ତାକଡରେ ଥିବା ଷ୍ଟ୍ରିଟ ଲାଇଟ ବିଦ୍ୟୁତ ଖୁଣ୍ଟକୁ ଧରି ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୋଳିଦାସପୁର ଗ୍ରାମର ଦନାର୍ଦ୍ଦନ ରାଉତ(୫୮)। ସେ ଯାତ୍ରା ଦେଖିବା ପାଇଁ ପରିବାର ସହ ଆଙ୍କୋରଡ଼ା ଗାଁ ରେ ରହୁଥିବା ଶ୍ବଶୁର ନାରାୟଣ ପ୍ରଧାନଙ୍କ ଘରକୁ ଆସିଥିଲେ।
ହସଖୁସିରେ ପରିବାର ଲୋକଙ୍କ ସହ ଶ୍ବଶୁର ଘରେ ରାତ୍ରୀଭୋଜନ କରିବା ପରେ ଜନାର୍ଦ୍ଦନ ଯାତ୍ରାପୀଠ ନିକଟରେ ଚାଲିଥିବା ପୌରାଣିକ ରାମାୟଣ ଥିଏଟର ଦେଖିବାକୁ ଯାଇଥିଲେ। ସେଠାରେ ଦର୍ଶକଙ୍କ ପ୍ରବଳ ଗହଳି ହୋଇଥିଲା। ନାଚ ଦେଖୁଥିବାବେଳେ ରାତ୍ରୀ ପ୍ରାୟ ସାଢେ ୧ଟାରେ ସେ ଅସାବଧାନତା କାରଣରୁ ରାସ୍ତାକଡର ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ସୁଇଚ ବୋର୍ଡକୁ ଧରିଦେବା କାରଣରୁ ସେ ବିଦ୍ୟୁତ ଧକ୍କାରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପ୍ରଚାରିତ ହେବାପରେ ଯାତ୍ରା ପରିଚାଳନା କମିଟି ରାମାୟଣ ନାଟକ ପରିବେଷଣ ବନ୍ଦ କରିଦେଇଥିଲେ। ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ। ଶ୍ବଶୁର ନାରାୟଣ ପ୍ରଧାନ ଏନେଇ ଥାନାରେ ଏତଲା ଦେବାପରେ ମାମଲା ନଂ.୨୦୭/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା -୧୦୬(୧) ଅନୁଯାୟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।