Categories: ଜାତୀୟ

କରମା ଡାଳ ବିସର୍ଜନ ବେଳେ ଅଘଟଣ, ୭ ବାଳିକାଙ୍କର ମୃତ୍ୟୁ…

ଲାଟେହାର,୧୮।୯: କରୋନା ଡାଳ ବିସର୍ଜନ ସମୟରେ ଅଘଟଣ ଘଟିଛି। ୭ ବାଳିକାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡର ଲାଟେହାର ଜିଲାର ବାଲୁମାଥ ଅଞ୍ଚଳର ଶେରେଗଡା ଗାଁର ମନନ୍ଦୀ ଟୋଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍ଥାନୀୟ ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମୃତକଙ୍କ ବୟସ ୭ ରୁ ୧୮ ବର୍ଷ ମଧ୍ୟରେ କୁହାଯାଉଛି। ବାଲୁମାଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଘଟଣା ଯୋଗୁ ଗାଁରେ କାନ୍ଦ ବୋବାଳି ପଡ଼ିଛି।

ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ତିନିଜଣ ଭଉଣୀ ଅଛନ୍ତି। ମୃତକମାନେ ହେଉଛନ୍ତି ରେଖା କୁମାରୀ (୧୮ ବର୍ଷ), ଲକ୍ଷ୍ମୀ କୁମାରୀ (୮ ବର୍ଷ), ରିନା କୁମାରୀ (୧୧ ବର୍ଷ), ମୀନା କୁମାରୀ (୮ ବର୍ଷ), ପିଙ୍କି କୁମାରୀ (୧୫ ବର୍ଷ), ସୁଷମା କୁମାରୀ (୭ ବର୍ଷ), ସୁନୀତା କୁମାରୀ (୧୭ ବର୍ଷ)।

ଗ୍ରାମବାସୀଙ୍କ କହିବାନୁସାରେ, ବାଳିବାମାନେ ଟୋରି-ବାଲୁମାଥ-ଶିବପୁର ରେଳ ଲାଇନ ନିର୍ମାଣ ପାଇଁ ଖୋଳା ଯାଇଥିବା ଏକ ଗଭୀର ଗାଡରେ କରମା ଡାଳ ବିସର୍ଜନ କରିବା ସମୟରେଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାଳିକାମାନଙ୍କୁ ଉଦ୍ଧାର କରିଥିଲେ। ୪ ଜଣ ବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣଙ୍କୁ ଚିକିତ୍ସା ଲାଗି ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରବାର ଦିନ ସାରା ରାଜ୍ୟରେ ଆଦିବାସୀଙ୍କର କରମା ପର୍ବ ପାଳନ କରାଯାଇଥିଲା। ପରେ କରମା ଡାଳକୁ ବିସର୍ଜନ ପାଇଁ ନିଆଯାଇଥିଲା।

Share