Categories: ଜାତୀୟ

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟକ୍କର ଦେବା ଲାଗି ଏଏପି ଅଣ୍ଟା ଭିଡ଼ିଛି। ଏଏପିର ରାଷ୍ଟ୍ରୀୟ ସଂଯୋଜକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏନେଇ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରୁ ଦୁର୍ନୀତି ହଟାଇବା ପାଇଁ ଏଏପି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଦିଲ୍ଲୀର ଜନସାଧାରଣଙ୍କୁ ମିଳୁଥିବା ସୁବିଧା ସୁଯୋଗ ଉତ୍ତରପ୍ରଦେଶରେ ଉପଲବ୍ଧ କରାଯିବା ଲାଗି ସେ କହିଛନ୍ତି। କଳଙ୍କିତ ରାଜନୀତି ଏବଂ ଦୂର୍ନୀତି ଗ୍ରସ୍ତ ନେତାଙ୍କ ଯୋଗୁ ରାଜ୍ୟକୁ ବିକାଶଠାରୁ ଦୂରରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ କ୍ଷମତା ଦଖଲ କରିଥିବା ପ୍ରତିଟି ରାଜନୈତିକ ଦଳ କେବଳ ନିଜର ପକେଟ ଭରି କରିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ଏଏପି ଲଢ଼ିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଉପବାଚସ୍ପତି ରାଖି ବିଡ଼ଲାନ ଏବଂ ବିଧାୟକ ସୁରେନ୍ଦ୍ର କୁମାର ସହପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

Share