Categories: ଜାତୀୟ

ୟୁପିର ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି, ୨ଜଣଙ୍କ ପାଖରେ କିଛି ନାହିଁ

ନୋଏଡା,୪।୨: ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ସବୁଠୁ ଧନୀ ପ୍ରାର୍ଥୀଙ୍କ ପାଖରେ ୧୪୮ କୋଟି ଟଙ୍କାର ସମ୍ପତି ରହିଛି। ଅନ୍ୟପକ୍ଷରେ ଦୁଇ ଜଣଙ୍କ ପାଖରେ କିଛି ସମ୍ପତି ନ ଥିବା ଆଡ୍‌ଭୋକେସି ଗ୍ରୁପ୍‌ ଏଡିଆର୍‌ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଖରେ ହାରାହାରି ୩.୭୨ କୋଟି ଟଙ୍କା ରହିଛି।

ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ସମ୍ପତିକୁ ବିଶ୍ଲେଷଣ କରିବା ପରେ ହାରାହାରି ପ୍ରତ୍ୟେକଙ୍କ ପାଖରେ ୧୩.୨୩ କୋଟି ସମ୍ପତି ଅଛି। ଭାଜପାର ୫୭ ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହା ହାରାହାରି ୧୨.୦୧ କୋଟି ଟଙ୍କା ଥିବା ଜଣାପଡ଼ିଛି। ସେହିଭଳି ଆରଏଲ୍‌ଡିର ୨୯ ପ୍ରାର୍ଥୀଙ୍କ ପାଖରେ ୮.୩୨ କୋଟି ଏବଂ ବିଏସ୍‌ପିର ୫୬ ପ୍ରାର୍ଥୀଙ୍କ ନିକଟରେ ୭.୭୧ କୋଟି ଟଙ୍କା ରହିଛି।

ଉତ୍ତରପ୍ରଦେଶର ପ୍ରଥମ ପର୍ଯ୍ୟାୟରେ ୧୧ ଜିଲାର ୫୮ ବିଧାନସଭା ଆସନରେ ଫେବୃୟାରୀ ୧୦ ତାରିଖରେ ମତଦାନ ହେବ। ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୬୦୦ ପ୍ରାର୍ଥୀ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ସବୁଠୁ ଧନୀ ପ୍ରାର୍ଥୀ ହେଉଛନ୍ତି ଭାଜପାର ଅମିତ ଅଗ୍ରଓ୍ବାଲ (ମଥୁରା କ୍ୟାଣ୍ଟନମେଣ୍ଟ)। ତାଙ୍କ ପାଖରେ ସର୍ବାଧିକ ୧୪୮ କୋଟି ଟଙ୍କା ରହିଛି। ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଏସ୍‌ପି ପ୍ରାର୍ଥୀ ଏସ୍‌ କେ ଶର୍ମା (୧୧୨ କୋଟି)ଏବଂ ସିକନ୍ଦରାବାଦରୁ ଛିଡ଼ା ହୋଇଥିବା ସପା ପ୍ରାର୍ଥୀ ରାହୁଲ ଯାଦବ (୧୦୦ କୋଟି) ରହିଛନ୍ତି।

ଉଲ୍ଲେଖନୀୟ କଥା ହେଲା, ଦୁଇ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତି ନ ଥିବା ଦର୍ଶାଯାଇଛି। ଏମାନେ ହେଉଛନ୍ତି ବହୁଜନ ମୁକ୍ତି ପାର୍ଟିର କୈଳାଶ କୁମାର ଓ ରାଷ୍ଟ୍ର ନିର୍ମାଣ ପାର୍ଟିର କେ ଏମ୍‌ ପ୍ରିତୀ। କୈଳାଶ ଅଲିଗଡ଼ର ଅତ୍ରାଉଲିର ନାମାଙ୍କନ ଭରି ଥିବା ବେଳେ ପ୍ରିତୀ ମୁଜାଫାରନଗର ମିରାପୁର ଆସନରୁ ଛିଡ଼ା ହୋଇଛନ୍ତି।

Share