ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ ଉତ୍ତରପ୍ରଦେଶର ଶୈଳେନ୍ଦ୍ର ତିଓ୍ବାରୀ ଏବଂ ଆନନ୍ଦ ବର୍ମା ମିଳିତ ଭାବେ ସେନ୍ସର ଓ ଆର୍ଟିଫିସିଆଲ ଇଣ୍ଟେଲିଜେକ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାଚାଳିତ ଗ୍ୟାଜେଟ୍ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବାରେ କୃଷକଙ୍କୁ ସହଯୋଗ କରୁଛନ୍ତି। ଏହିସବୁ ଗ୍ୟାଜେଟ୍ ବ୍ୟବହାର ଯୋଗୁ ଚାଷରେ ହେଉଥିବା ଖର୍ଚ୍ଚ କମ୍ ହେବା ସହ ଜଳସେଚନରେ ନଷ୍ଟ ହେଉଥିବା ପାଣିର ସଂରକ୍ଷଣ ହୋଇପାରୁଛି। ଏହି ଟେକ୍ନୋଲୋଜିରେ ସେମାନେ ୫୨ ବିଲିୟନ ଲିଟର ପାଣି ବଞ୍ଚାଇ ପାରିଛନ୍ତି। କେବଳ ଏତିକି ନୁହେଁ, କୀଟନାଶକ ୬୦% କମ୍ ହେବା ସହ ୪୦% ଉତ୍ପାଦନ ବଢୁଛି। ଶୈଳେନ୍ଦ୍ର ଓ ଆନନ୍ଦ ଉଭୟ କୃଷକ ପରିବାର ସଦସ୍ୟ। ସେମାନେ ମିଳିତ ଭାବେ ୨୦୧୭ରେ ‘ଫସଲକ୍ରାନ୍ତି’ ଷ୍ଟାର୍ଟଅପ୍ ଗଠନକରି କୃଷିକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗକୁ ବ୍ୟାପକ କରିବା ସକାଶେ ଅଭିଯାନ ଚଳାଇଛନ୍ତି। ସେମାନେ ଛତିଶଗଡ଼, କର୍ନାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଜମିରେ ଏହି ଟେକ୍ନୋଲୋଜିକୁ ପ୍ରୟୋଗ କରିଛନ୍ତି।


