ଦ୍ୱିତୀୟ ଲହରରେ ବୟସ୍କ ଅଧିକ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୦।୪(ପି.ଟି.): କରୋନାର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। କାରଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ବୟସ ୪୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହେଉଥିବା କରୋନା ରୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତେବେ ଦ୍ୱିତୀୟ ଲହରର କରୋନା ରୋଗୀଙ୍କ ପାଇଁ ଅଧିକ ଅକ୍ସିଜେନ ଆବଶ୍ୟକତା ପଡ଼ୁଥିବାବେଳେ ଭେଣ୍ଟିଲେଟର ଆବଶ୍ୟକତା ସେତେ ଅଧିକ ପଡ଼ୁନାହିଁ। ମେଡିକାଲ ଅକ୍ସିଜେନ୍‌ ଆବଶ୍ୟକତା ବଢ଼ିଥିବାରୁ କେତେକ ରାଜ୍ୟରେ ଅଭାବ ଦେଖାଦେଇଥିବା ସରକାର କହିଛନ୍ତି।
ଦ୍ୱିତୀୟ ଲହରର ରୋଗୀଙ୍କ କ୍ଷେତ୍ରରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଘଟଣା ଅଧିକ ଦେଖାଯାଉଛି। କିନ୍ତୁ ଗଳା ଦରଜ ହେବା, ଶୁଖିଲା କାଶ ଏବଂ ଅନ୍ୟ ଲକ୍ଷଣ ପ୍ରଥମ ଲହରରେ ଅଧିକ ଥିଲା ବୋଲି ଭାର୍ଗବ କହିଛନ୍ତି। ପ୍ରଥମ ଲହରରେ ୪୧.୫ ପ୍ରତିଶତ ରୋଗୀ ଅକ୍ସିଜେନ୍‌ ଆବଶ୍ୟକ କରୁଥିଲାବେଳେ ଦ୍ୱିତୀୟ ଲହରରେ ୫୪.୫ ପ୍ରତିଶତ ରୋଗୀଙ୍କୁ ଅକ୍ସିଜେନ ଦେବାକୁ ପଡ଼ୁଛି। ପ୍ରଥମ ଲହରର ୭,୬୦୦ ରୋଗୀ ଏବଂ ଦ୍ୱିତୀୟ ଲହରର ୧,୮୮୫ ରୋଗୀଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଉପରୋକ୍ତ ସୂଚନା ମିଳିଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ପ୍ରଥମ ଲହରରେ ୩୧ ପ୍ରତିଶତ ରୋଗୀଙ୍କ ବୟସ ୩୦ ବର୍ଷରୁ କମ୍‌ ଥିଲା। ଦ୍ୱିତୀୟ ଲହରରେ ୩୨ ପ୍ରତିଶତଙ୍କ ବୟସ ୩୦ ବର୍ଷରୁ କମ୍‌ ଥିବା ଜଣାଯାଇଛି ବୋଲି ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଭି.କେ. ପଲ୍‌ କହିଛନ୍ତି। କେବଳ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓ ମଧ୍ୟମ ଅସୁସ୍ଥ ଥିବା ରୋଗୀଙ୍କୁ ରେମ୍‌ଡେସିଭିର ଦେବା ପାଇଁ ପଲ୍‌ କହିଛନ୍ତି। ଘରେ ଥିବା ରୋଗୀଙ୍କୁ ଏହି ଇଞ୍ଜେକ୍‌ଶନ ନ ଦେବା ଲାଗି ସେ ପରାମର୍ଶ ଦେଇଛନ୍ତି।

Share