ମୃତବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି

ବଲାଙ୍ଗୀର ଅଫିସ, ୩।୭: ଜମି ଜାଲିଆତିକୁ ନେଇ ବାରମ୍ବାର ଖବର ଶୀର୍ଷକରେ ରହିଆସିଥିବା ବଲାଙ୍ଗୀର ତହସିଲ ଅଫିସ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର ଜଣେ ମୃତବ୍ୟକ୍ତିଙ୍କ ନଁାରେ ଜମି ବିକ୍ରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏଥିରେ ତହସିଲଦାରଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହେବା ପରେ ଘଟଣାଟି ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ଜଣାପଡ଼ିବା ପରେ ଜିଲାପାଳ ଚଞ୍ଚଳ ରାଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବଲାଙ୍ଗୀର ସହର ଉପକଣ୍ଠ ଧୁମାମରା ଗ୍ରାମର ଅବ୍‌ଦୁଲ ଷାଣ୍ଢ ଟାଉନ୍‌ ଥାନାରେ ଜୁନ୍‌ ୧୬ରେ ତାଙ୍କର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୪୯/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଅବ୍‌ଦୁଲଙ୍କ ଅଭିଯୋଗ ଯେ, ସେମାନେ କୌଣସି ଜମି ବିକ୍ରି କରିନାହାନ୍ତି। କିଛିଦିନ ତଳେ କେତେକ ଲୋକ ତାଙ୍କ ଜମି ମାପଚୁପ କରିଥିଲେ। ସେମାନଙ୍କୁ ପଚାରିବାରୁ ଧୁମାମରାର ହର୍ଷ ଷାଣ୍ଢ ନାମକ ଜଣେ ବ୍ୟକ୍ତି ଲାବଣୀ ପୃଷ୍ଟିଙ୍କୁ ଜମି ବିକ୍ରି କରିଥିବା ଜଣାପଡ଼ିଥିଲା। ଅବ୍‌ଦୁଲଙ୍କ କହିବା ହେଲା, ତାଙ୍କ ପିତା ହର୍ଷ ଷାଣ୍ଢଙ୍କର ୨୦୦୫ରୁ ମୃତ୍ୟୁ ହୋଇଛି। ୨୦୨୨ ଜାନୁୟାରୀରେ ତାଙ୍କ ନାମରେ କିଏ ଜମି ବିକ୍ରି କଲା ଏକଥା ସେ ଜାଣିନାହାନ୍ତି। ଘଟଣାକୁ ନେଇ ସେ ତହସିଲଦାର ଏବଂ ସବ୍‌ରେଜିଷ୍ଟ୍ରି ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୧୬ ତାରିଖରେ ଅବଦୁଲ ଟାଉନ୍‌ ଥାନାରେ ୯ ଜଣଙ୍କ ନଁାରେ ଅଭିଯୋଗ କରିଥିଲେ। ପରେ ପୋଲିସ ବଲାଙ୍ଗୀର ତହସିଲଦାର ମଘବନ ବାଗ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଘଟଣା ପ୍ରଘଟ ପରେ ସବ୍‌ରେଜିଷ୍ଟ୍ରି ଅଫିସ ଏବଂ ତହସିଲ ଅଫିସ୍‌ର ଏକ ର଼୍ୟାକେଟ୍‌ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ମୃତ ହର୍ଷ ଷାଣ୍ଢଙ୍କ ନଁାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ସବ୍‌ରେଜିଷ୍ଟ୍ରି ଅଫିସରେ ଠିଆ କରାଇ ଏବଂ ତାଙ୍କ ଫଟୋ ଲଗାଇ ସାକ୍ଷୀ ସାହାଯ୍ୟରେ ଜମି ରେଜିଷ୍ଟ୍ରି କରାଯାଇଥିବା ଜଣାପଡ଼ିଥିଲା। ଷାଣ୍ଢଙ୍କ ଜମିରୁ ପ୍ରାୟ ଦେଢ଼ ଏକରରୁ ଊର୍ଦ୍ଧ୍ୱ ଜମିି ବିକ୍ରି କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ତହସିଲଦାର ବାଗ୍‌ଙ୍କୁ ତାଙ୍କ ମୋବାଇଲ ଫୋନ୍‌ (୯୪୩୯୨୩୯୦୨୦)ରେ ଯୋଗାଯୋଗ କରାଯାଇଥିଲା। ହେଲେ ଫୋନ୍‌ ସୁଇଚ୍‌ ଅଫ୍‌ ଥିତ୍ବାରୁ ତାଙ୍କ ମତାମତ ମିଳିପାରିନାହିଁ।