ଶଟ୍‌ଡାଉନରେ ରାସ୍ତାରେ ଦେହବେପାର ଡିଲ୍‌

ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍‌ ଛିଣ୍ଡିଥିଲା। ରୁମ୍‌କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ ବାକି ଟଙ୍କା ଦେ। ଜଣେ ଗ୍ରାହକଙ୍କୁ ଏଭଳି ପାଟି କରି କହୁଥିଲେ ଦେହଜୀବୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାବେଳେ ପାଖରେ ଠିଆ ହୋଇ ଉପଭୋଗ କରୁଥିଲେ କେତେଜଣ ଲୋକ। ଶନିବାର ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଶଟ୍‌ଡାଉନ ସତ୍ତ୍ୱେ ରାତିରେ ମଝି ରାସ୍ତାରେ ଦେହବ୍ୟବସାୟ ଡିଲ୍‌ବେଳେ ଏପରି ଘଟିଥିଲା। ଯୁବତୀ ଜଣକ ଦାବି ମୁତାବକ ଟଙ୍କା ପାଇ ନ ଥିବା କହୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ସବୁ ଟଙ୍କା ଦେଇସାରିଥିବା କହିଥିଲେ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଘଟଣାସ୍ଥଳରୁ ପୋଲିସ ଫାଣ୍ଡି ମାତ୍ର ୩୦୦ ମିଟର ରହିଛି। ଅନ୍ୟ ଏକ ପାର୍ଶ୍ୱରେ ପୋଲିସ ନାକା ମଧ୍ୟ ଲଗାଇ ଜଗି ରହିଛି। ଘଟଣାସ୍ଥଳରେ ପିସିଆର୍‌ ପୋଲିସ ପହଞ୍ଚତ୍ବାର ଦୃଶ୍ୟ ରହିଛି। ହେଲେ କିଛି ସମୟ କଥା ହେବା ପରେ ପିସିଆର ଭ୍ୟାନ୍‌ର କର୍ମଚାରୀମାନେ ଗ୍ରାହକ କିମ୍ବା ଦେହଜୀବୀଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନେଇ ଚାଲିଯାଇଥିଲେ। ଏହାକୁ ନେଇ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ହୋଇଛି।
ସୂଚନା ଅନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ବେଧଡ଼କ ଦେହ ବ୍ୟବସାୟ ଚାଲିଛି। ରାତି ୧୨ପରେ ଦେହଜୀବୀଙ୍କ ଆସର ଜମୁଥିବାବେଳେ ଗ୍ରାହକଙ୍କ ଧାଡ଼ି ଲାଗୁଛି। ୫୦୦ରୁ ୩୦୦୦ଟଙ୍କା ଯାଏ ଡିଲ୍‌ ହେଉଛି। ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ରେ ନିୟମ ଉଲ୍ଲଂଘନ କରି ଏପରି ବେପାର ଜମୁଥିଲେ ମଧ୍ୟ ପୋଲିସ ଚୁପ୍‌ ବସୁଛି।