କୁମ୍ଭୀରଭରା ନଦୀରେ ପେଟ ପାଇଁ ଜୀବନ ବିପଦ

ମହାକାଳପଡ଼ା,୧୧।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀଗୁଡିକରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ (ପିନ୍‌ ସଦୃଶ)କୁ ମହିଳାମାନେ ସଂଗ୍ରହ କରିଥାନ୍ତି। ସମୁଦ୍ର ଜଳ ନଦୀରେ ଭଟ୍ଟା ବା ଛାଡ଼ ପାଣିରେ ସରୁ ଗାଞ୍ଜ ଜାଲ ଦ୍ୱାରା ନଦୀ ମଧ୍ୟରେ ମହିଳାମାନେ ପ୍ରବେଶ କରି ସଂଗ୍ରହ କରନ୍ତି। ପରେ ସ୍ଥାନୀୟ ଚିଙ୍ଗୁଡ଼ି ବ୍ୟବସାୟୀମାନେ ଯାଅଁାଳ ହଜାର ପ୍ରତି ୨ ଶହ ଟଙ୍କା ଦେଇ କିଣିଥାନ୍ତି। ଏହାପରେ ବ୍ୟବସାୟୀମାନେ କୋଲକାତା, ଆନ୍ଧ୍ରପ୍ରଦେଶ ଆଦି ସ୍ଥାନର ଚିଙ୍ଗୁଡ଼ି ଘେରିକୁ ଚଢ଼ା ଦରରେ ଯାଅଁାଳ ଚାଲାଣ କରିଥାନ୍ତି। ସାଧାରଣତଃ ଏହି ବାଗଦା ଚିଙ୍ଗୁଡି ଯାଅଁାଳ ପିନ୍‌ ସଦୃଶ ଦେଖା ଯାଇଥାଏ। ସମୁଦ୍ର ଜଳ ମେଞ୍ଚା ମେଞ୍ଚା ଫେଣରେ ନଦୀ ଜୁଆର ପାଣିରେ ଭାସି ଆସିଥାନ୍ତି। ଏହି ସମୟରେ ସ୍ଥାନୀୟ ମହିଳାମାନେ ପରିବାର ପ୍ରତିପୋଷଣ ପାଇଁ ନଦୀ ମଧ୍ୟରେ ପ୍ରବେଶ କରି ବିପଦପୂର୍ଣ୍ଣ ଭାବେ ଚିଙ୍ଗୁଡ଼ି ଯାଅଁାଳ ସଂଗ୍ରହ କରି ରୋଜଗାରକ୍ଷମ ହୋଇଥାନ୍ତି। ଦୈନିକ ସ୍ଥାନୀୟ ମହିଳାମାନେ ୫ ଶହରୁ ଅଧିକ ରୋଜଗାର କରଥାନ୍ତି। ଅନେକ ସମୟରେ ଭରା ନଦୀରେ କୁମ୍ଭୀର ଭୟ ଥିବାରୁ ନିଜ ଜୀବନକୁ ଖାତିର ନ କରି ପେଟ ପୋଷିବାକୁ ଏହି କାର୍ଯ୍ୟ ଆପଣେଇଥାନ୍ତି ବୋଲି ଲତା ମଣ୍ଡଳ, ମମତା ସର୍ଦ୍ଦାର, ରାଧାରାଣୀ ମଣ୍ଡଳ, ସରୋଜିନୀ ମଣ୍ଡଳ, ରମା ଗାୟନ ପ୍ରମୁଖ କହିଛନ୍ତି। ସେମାନଙ୍କ କହିବା କଥା, ବାଗଦା ଚିଙ୍ଗୁଡ଼ି ଯାଅଁାଳ ବର୍ଷର ଖରାଦିନେ ଅତି ଲୁଣି ପାଣି ଯୋଗୁ ଫେଣରେ ଭାସି ଭାସି ଆସନ୍ତି। ଏହି ସମୟରେ ଆମେ ସରୁ ଗାଞ୍ଜ ଜାଲରେ ଛାଣି ସଂଗ୍ରହ କରିଥାଉ। ସଂଗ୍ରହ ପରେ ଶାମୁକାରେ ପିନ୍‌ ସଦୃଶ ଯାଅଁାଳ ଗଣିବାକୁ ପଡେ। ଏହି ଚିଙ୍ଗୁଡ଼ି ଯାଅଁାଳକୁ କୋଲକାତା ଓ ଆନ୍ଧ୍ରପ୍ରଦେଶକୁ ଟ୍ରକ, ପିକ୍‌ଅପ୍‌ ଭ୍ୟାନ ଯୋଗେ ପଲିଥିନ୍‌ ପ୍ୟାକେଟ କରାଯାଇ ଚାଲାଣ ହୋଇଥାଏ। ସେଠାରେ ଏହାର ମୁଖ୍ୟ ଚାହିଦା ରହିଛି ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି। ବ୍ଲକର ମହାନଦୀ, ଗୋବରୀ ନଦୀ ଓ ଶାଖା ଯୋରୀଗୁଡିକରେ ବହୁଳ ପରିମାଣରେ ସମୁଦ୍ର ଫେଣରୁ ଜମ୍ବୁ, କଁାଶପାଳ, ପେଟଛେଲା, ବଡ଼ଦାଣ୍ଡୁଆ, ବାଗଗହଣ, ପଙ୍କପାଳ, ବଡପାଳ, କଣ୍ଡରା ପାଟିଆ, ରାମନଗର, ଖରିନାସୀ, ବତୀଘର, ତନ୍ତିଆପାଳ, ଶାସନ ଆଦି ଅଞ୍ଚଳରେ ବହୁ ବଙ୍ଗୀୟ ମହିଳାମାନେ ଏହି ଯାଅଁାଳ ନଦୀରୁ ସଂଗ୍ରହ କରି ବେପାରୀମାନଙ୍କୁ ବିକ୍ରିକରି ପରିବାର ପ୍ରତିପୋଷଣ କରିଥାନ୍ତି। ଅପରପକ୍ଷେ ନଦୀ ସମୁଦ୍ରରୁ ବାଗଦା ଚିଙ୍ଗୁଡ଼ି ଯାଅଁାଳ ଯଥେଷ୍ଟ ପରିମାଣରେ ହ୍ରାସ ପାଉଛି ବୋଲି ମହିଳାମାନେ କହିଛନ୍ତି।