ମାଲଗାଡ଼ିରେ ବେଆଇନ ଭାବେ ଲୋଡିଂ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ରୋଡ ରେଳ ଷ୍ଟେଶନରେ ମାଲଗାଡିରେ ଲୋଡିଂ ଶେଷ ସମୟ ପରେ ବି ଜଣେ ଠିକାଦାର ଓ ରେଳ କର୍ମଚାରୀ ସଲାସୁତୁରା ହୋଇ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ମାଲଗାଡି ରଖି ଲୋଡିଂ କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଥିବାବେଳେ ଏହି ଟଙ୍କା ଜଣେ ମକା ଠିକାଦାର ଓ ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ପକେଟକୁ ଯାଉଛି। ଏପରିକି ଏହି ଘଟଣାକୁ ପ୍ରତିବାଦ କରିଥିବା ଜଣେ ଆରପିଏଫ୍‌ଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିବା ଜଣାପଡିଛି। ଏ ନେଇ ଆରପିଏଫ୍‌ ଜଣକ ଟିଟଲାଗଡ ଜିଆରପିଏସ ଥାନାରେ ଅଭିଯୋଗ କରିବା ପରେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଜୁନାଗଡ ରୋଡ ରେଳ ଷ୍ଟେଶନରେ ଆରପିଏଫ୍‌ (ରେଲୱେ ସୁରକ୍ଷା ବଲ) ଭାବେ ତପନ କୁମାର ପଟ୍ଟନାୟକ କାର୍ଯ୍ୟରତ ଥିଲେ। ଗତ ୭ ତାରିଖରେ ଏଠାରେ ଏକ ମାଲଗାଡି ଲାଗିଥିଲା। ଏହି ସମୟରେ ଡ୍ୟୁଟିରେ ଥିବା ତପନ ରାତି ୧୦ଟା ୩୫ରେ କାର୍ଯ୍ୟରତ ଥିବା ଷ୍ଟେଶନ ମାଷ୍ଟରଙ୍କୁ ମାଲଗାଡିରେ ଲୋଡିଂ ସମ୍ପୂର୍ଣ୍ଣ ହେଲା କି ବୋଲି ପଚାରିବାରୁ ଲୋଡିଂ ସମ୍ପୂର୍ଣ୍ଣ ହୋଇନାହଁି ବୋଲି କହିଥିଲେ। ଏହାପରେ ଆଉଜଣେ ଷ୍ଟେଶନ ମାଷ୍ଟର ଡ୍ୟୁଟିକୁ ଆସିଥିଲେ। ପୁଣିଥରେ ତପନ ଦାୟିତ୍ୱରେ ଥିବା ଷ୍ଟେଶନ ମାଷ୍ଟରଙ୍କୁ ଲୋଡିଂ ସମ୍ପୂର୍ଣ୍ଣ ହେଲାକି ବୋଲି ପଚାରିବାରୁ ୯ଟା ୩୫ରୁ ଲୋଡିଂ ସମ୍ପୂର୍ଣ୍ଣ ହୋଇଥିବା କହିଥିଲେ। ତେବେ ୨ଜଣ ଷ୍ଟେଶନ ମାଷ୍ଟରଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ତପନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣାର ସତ୍ୟତା ଜାଣିବା ପାଇଁ ତପନ ରାତି ୧୨.୨୦ରେ ମାଲଗାଡି ଥିବା ପ୍ଲାଟଫର୍ମକୁ ଯାଇଥିଲେ। ହେଲେ ଉକ୍ତ ସମୟରେ ବି ମାଲଗାଡିରେ ଲୋଡିଂ ହେଉଥିବା ଦେଖିବାକୁ ପାଇଥିଲେ। ତେବେ ଲୋଡିଂ ଶେଷ ପରେ ବି କ’ଣ ଲୋଡିଂ ହେଉଛି ବୋଲି ପଚାରିବାରୁ ସେଠାରେ ଉପସ୍ଥିତ ଥିବା ସୁପରଭାଇଜର ଓ ତାଙ୍କ ସହ ୬ଜଣ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ଆମେ ମନଇଚ୍ଛା କାରବାର କରିବୁ ବୋଲି କହିବା ସହ ତାଙ୍କୁ ଟଣାଓଟରା କରିବା ହତ୍ୟା ଧମକ ଦେଇଥିଲେ। ପରେ ତପନ ନ୍ୟାୟ ସହ ରେଲୱେ ବିଭାଗ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ସେ ଟିଟଲାଗଡ ଜିଆରପିଏସରେ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି। ଲୋଡିଂ ଶେଷ ହେବା ପରେ ବି ବେଆଇନ ଭାବେ ଅଧିକ ସମୟ ଷ୍ଟେଶନରେ ମାଲଗାଡି ଠିଆ ହୋଇ ଅଧିକ ମକା ଲୋଡିଂ ହେଉଥିଲା। ଏହାପୁଣି ଷ୍ଟେଶନ ମାଷ୍ଟରଙ୍କ ଜାଣତରେ ହେଉଥିବାରୁ ଏହି ଘଟଣାରେ ସେ ଲିପ୍ତ ଥିବା ତପନ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ରେଳ ବିଭାଗ ଏକ ଉଚ୍ଚସ୍ତରୀୟ କମିଟି ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ଏଠାରେ କୌଣସି ସିସିଟିଭିର ବ୍ୟବସ୍ଥା ନ ଥିବାରୁ ଏପରି ବେଆଇନ କାମ ଚାଲିଥିବା ଜଣାପଡିଛି। ରେଲୱେ କର୍ତ୍ତୃପକ୍ଷ ଏଠାରେ ସିସିଟିଭି ଲଗାଇଲେ ଏପରି ବେଆଇନ କାମ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଗତ ୨୦୧୮ରୁ ଏପରି ବେଆଇନ କାମ ଚାଲୁଥିବା ଅଭିଯୋଗ ହୋଇଥିବାବେଳେ ଏହି ଘଟଣା ପ୍ରତି ରେଳ ବିଭାଗ କିପରି ଦୃଷ୍ଟି ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।