ଯୋଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୧ ଗିରଫ

ଯୋଡ଼ା, ୧୭।୪(ଡି.ଏନ.ଏ.):  କେନ୍ଦୁଝର ଜିଲା ଯୋଡ଼ା ସହରରେ ରାମ ନବମୀରେ ଝଣ୍ଡା ସ୍ଥାପନକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ୧୧ଜଣଙ୍କୁ ଗିରଫ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୬୫/୨୨) ରୁଜୁ କରି ଯୋଡ଼ା କଣ୍ଟ୍ରାକ୍ଟର କଲୋନୀର ରାକେଶ ମହାନ୍ତି, କୁନ୍ଦୁରୁନାଲା ଅଞ୍ଚଳର ମୁକେଶ ବାରିକ, ଅମନ କାରୁଆ, ନରେଶ ମହାକୁଡ, ଚନ୍ଦନ ଗୁପ୍ତା,ସହିଦ ନଗରର ବିଶ୍ୱଜିତ ଶର୍ମାଙ୍କୁ ଗିରଫ କରିଛି। ସେହିପରି ପାଲଟା ଅଭିଯୋଗରେ ପୋଲିସ ଆଉ ଏକ ମାମଲା (ନଂ. ୬୬/୨୨) ରୁଜୁ କରି ଯୋଡ଼ା ସଂଖ୍ୟାଲଘୁ ସମ୍ପ୍ରଦାୟର ଏମ୍‌ଡି ୱକିଲ, ଏମ୍‌ଡି ଦିଲାସାଦ ଆଲାମ, ଏମ୍‌ଡି ବାବୁ, ଏମ୍‌ଡି ମୁଦାସାର ଅନସାରୀ ଓ ହୁଡ଼ିସାହିର ଏମ୍‌ଡି ଏକବାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶଯୋଗ୍ୟ, ରାମ ନବମୀ ପରବର୍ତ୍ତୀ ଦିନ ୪ନଂ ୱାର୍ଡରେ ଥିବା ଏକ ଶିବମନ୍ଦିରରେ ରାମ ଝଣ୍ଡା ସ୍ଥାପନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ପଥର ମାଡ଼ ହୋଇଥିଲା। ପୋଲିସ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳିଚାଳନା କରିବା ସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪୪ ଧାରା ଏବେ ମଧ୍ୟ ସହରରେ ବଳବତ୍ତର ରହିଛି। ତେବେ ଆଇନ୍‌ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ବିଘଟନକାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଯୋଡ଼ା ଆଇଆଇସି ପଦ୍ମାଳୟା ସାହୁ କହିଛନ୍ତି।