ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳରେ ହାତୀ ଭୟ

ଲାଞ୍ଜିଗଡ଼,୩୦।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଗୋଟିଏ ପରେ ଗୋଟିଏ ଗାଁରେ ପଶି ଗରିବଙ୍କ ଘର ଭାଙ୍ଗିବା ସହ କଷ୍ଟ ଉପାର୍ଜିତ ଫସଲ ନଷ୍ଟ କରୁଛନ୍ତି। ଫଳରେ ଅଞ୍ଚଳବାସୀ ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ଆଦିବାସୀ ସାହିରେ ପୁଣି ଏକ ଘଟଣା ଘଟିଛି। ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବେଡାଗାଁର ଆଦିବାସୀ ସାହିରେ ହାତୀପଲ ପଶି ୪ରୁ ୫ଏକର ମକା ଚାଷ ମାଡି ଚକଟି ନଷ୍ଟ କରିଦେଇଛନ୍ତି। ପରେ ଗାଁର ଧନୁ ମାଝି, ରମେଶ ମାଝି, ଆନ୍ଦୁ ମାଝି ଓ ସାଲୁପୁ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି। ପରିବାର ଲୋକଙ୍କ କହିବାନୁଯାୟୀ ବିଳମ୍ବିତ ରାତିରେ ଧନୁ ମାଝିଙ୍କ ବାଡିରେ ପଶି ମକାଚାଷ ନଷ୍ଟ କରିବା ପରେ ହାତୀପଲ ଗର୍ଜନ କରିଥିଲେ। ଗର୍ଜନ ଶୁଣି ଧନୁ ସ୍ତ୍ରୀ ପିଲାଛୁଆଙ୍କୁ ଧରି ବାହାରକୁ ଚାଲିଆସିଥିଲେ। ପଡାର ସମସ୍ତେ ବାହାରକୁ ଚାଲି ଆସି ହାତୀ ଘଉଡେଇବା ପାଇଁ ନିଆଁ ଲଗାଇଥିଲେ। ହେଲେ ହାତୀପଲ କିଛି ବ୍ରୁକ୍ଷେପ ନ କରି ଧନୁଙ୍କ ଘର ଭିତରେ ପଶି ଖାଦ୍ୟଶସ୍ୟ ସବୁ ନଷ୍ଟ କରିବା ସହ ଛେଳି ଗୋଟିଏ ମାଡି ଦେବା ସହ ଘର ଭାଙ୍ଗି ଦେଇଥିଲେ ଏବଂ ରମେଶ ମାଝିଙ୍କ ଗୋଟିଏ ବାଇକ୍‌ ଭାଙ୍ଗି ଦେଇଛନ୍ତି। ପରେ ରମେଶ, ଆଙ୍ଗୁ ମାଝି ଓ ସାଲୁପୁ ମାଝିଙ୍କ ଘର ମଧ୍ୟ ନଷ୍ଟ କରିଦେଲେ। ବର୍ତ୍ତମାନ ଏହି ୪ଟି ପରିବାର ପୋଡଷୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ବିଶ୍ୱନାଥପୁର ରେଞ୍ଜର ନରତ୍ତୋମ ମାଝିଙ୍କ ନେତୃତ୍ୱରେ ଏକ ଟିମ ଯାଇ ତଦାରଖ କରିଥିବା ବେଳେ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି।
ସୁଚନା ଥାଉକି ଗତ ୨୮ତାରିଖରେ ପିଡେଲବାଜୁ ଗାଁର ୪ଟି ଘର ହାତୀପଲ ଭାଙ୍ଗି ଦେଇଛନ୍ତି। ହାତୀ ଯୋଗୁ ଦୁର୍ଗମ ଅଞ୍ଚଳବାସୀ ରାତିରେ ଅନିଦ୍ରା ରହି ପହରା ଦେଉଛନ୍ତି। ବନବିଭାଗ ପକ୍ଷରୁ ହାତୀର ଗତିପଥକୁ ଲକ୍ଷ୍ୟ କରିବା ଓ ହାତୀ ଘଉଡେଇବା ପାଇଁ ଏଲିଫେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଛି, ହେଲେ ଏହା କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି। ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି ସତ ହେଲେ ହାତୀ ଘର ଭାଙ୍ଗିବାର ମାସ ମାସ ବିତିଯାଉଥିଲେ ହେଁ କ୍ଷତିପୂରଣ ମିଳିପାରୁନାହିଁ । ଏହାକୁ ନେଇ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।