Categories: ଜାତୀୟ

ଶ୍ରଦ୍ଧା ହତ୍ୟା ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲ୍‌କର ହତ୍ୟା ମାମଲାରେ ପୋଲିସ ୩,୦୦୦ ପୃଷ୍ଠାର ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଏଥିରେ ଫୋରେନ୍‌ସିକ୍‌ ଏବଂ ଇଲେକ୍ଟ୍ରୋନିକ୍‌ ପ୍ରମାଣ ସହ ୧୦୦ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଛି।

ପୋଲିସ ଅଧିକାରୀମାନେ ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବାବେଳେ ଆଇନ ବିଶେଷଜ୍ଞ ଏହାକୁ ଅନୁଧ୍ୟାନ କରିଛନ୍ତି। ପୋଲିସ ଏହାକୁ ଚୂଡ଼ାନ୍ତ ଚାର୍ଜଶିଟ୍‌ ଭାବେ କୋର୍ଟରେ ଦାଖଲ କରିପାରେ। ସୂଚନାଯୋଗ୍ୟ, ଗତବର୍ଷ ମେ’ରେ ଦକ୍ଷିଣ ଦିଲ୍ଲୀର ମେହରୁଲି ଘରେ ଆଫତାବ ପୁନାଓ୍ବାଲା ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍‌ରେ ରଖିଥିଲେ। ସେଗୁଡ଼ିକୁ ସେ ୧୮ ଦିନ ଯାଏ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ଛତରପୁର ଜଙ୍ଗଲରୁ ମିଳିଥିବା ଅସ୍ଥି ଡିଏନ୍‌ଏ ପରୀକ୍ଷାରୁ ତାହା ଶ୍ରଦ୍ଧାଙ୍କର ବୋଲି ଜଣାପଡ଼ିଥିଲା। ଆଫତାବ ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ସ୍ବୀକାର କରିଥିଲେ। ଚାର୍ଜଶିଟ୍‌ରେ ନାର୍କୋ ପରୀକ୍ଷା ରିପୋର୍ଟକୁ ମଧ୍ୟ ସାମିଲ କରାଯାଇଛି।

Share