Categories: ରାଜ୍ୟ

ସୀମାନ୍ତ ରାଜ୍ୟରେ ଓଡ଼ିଆକୁ ୨ୟ ଭାଷାରୁ ବାଦ୍‌

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଆ ଭାଷା ଗୃହ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। କମିଟି ଅଧ୍ୟକ୍ଷ ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ବିଧାନସଭା ସଚିବାଳୟ ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ବାସ୍ତବ ସ୍ଥିତି ଉପରେ ବ୍ୟାପକ ଆଲୋଚନା ହୋଇଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଥିବା କମିଟି ହୃଦ୍‌ବୋଧ କରିଛି। ସେହିପରି ଅନ୍ୟ କେତେକ ସୀମାନ୍ତ ରାଜ୍ୟରେ ମଧ୍ୟ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାରୁ ବାଦ୍‌ ଦିଆଯାଇଥିବାରୁ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ଓଡ଼ିଆ ଭାଷାର ପାଠ୍ୟପୁସ୍ତକ ଓଡ଼ିଶା ସରକାର ନିୟମିତ ଯୋଗାଇ ଦେଉଥିବା ଗୃହ କମିଟିକୁ ଅବଗତ କରାଯାଇଛି। ତେବେ ସେଠାରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକଙ୍କ ଦରମା କମ୍‌ ହେଉଛି। ଏଥିଯୋଗୁ ସେମାନଙ୍କ ଦରମା ବୃଦ୍ଧି ସହ ଖାଲିଥିବା ଓଡ଼ିଆ ଶିକ୍ଷକ ପଦବୀ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଉପାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟର ବାସ୍ତବ ସ୍ଥିତି ପରଖିବା ପାଇଁ ଗୃହ କମିଟି ଉକ୍ତ ଅଞ୍ଚଳକୁ ଗସ୍ତ କରି ରିପୋର୍ଟ ଦେବେ। ବୈଠକରେ ସମ୍ପୃକ୍ତ କମିଟି ସଦସ୍ୟଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦାଧିକାରୀ ଯୋଗ ଦେଇଥିଲେ।