ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏପରିକି ପ୍ରେମିକଙ୍କ ସହ ସ୍ତ୍ରୀ ଅସଂଜତ ଅବସ୍ଥାରେ ଥିବାବେଳେ ସ୍ବାମୀ ଦେଖି ଦେବାରୁ ସ୍ତ୍ରୀ ପ୍ରେମିକଙ୍କ ସହାୟତାରେ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ରବିବାର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୨୪/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା-୩୩୩/୧୧୫(୨)/୧୧୭(୨)/୧୦୯/୩୫୧(୨)/୩(୫)ଅନୁଯାୟୀ ଅଭିଯୁକ୍ତା ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କ ନାଁରେ ମକଦ୍ଦମା ରୁଜୁ କରି ଏଏସଆଇ ଦିଲ୍ଲୀପ ଗୋରଡ଼ାଙ୍କୁ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ଭୟରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ଫେରାର୍ ଥିବା ଜଣାପଡିଛି। ଗତ ଶୁକ୍ରବାର ରାତି ପ୍ରାୟ ୧୦ ଟାରେ ସ୍ବାମୀ କାମ ସାରି ଘରକୁ ଫେରିବା ପରେ ସ୍ତ୍ରୀ ତାଙ୍କ ପ୍ରେମିକ ସହ ଘରେ ଅସଂଜତ ଅବସ୍ଥାରେ ଥିବା ଦେଖିଥିଲେ। ପ୍ରତିବାଦ କରିବାରୁ ସ୍ତ୍ରୀ ଓ ପ୍ରେମିକ ତାଙ୍କୁ ଘର କବାଟ ପକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଅ ,ଝିଅ ତାଙ୍କ ବାପାଙ୍କୁ ମାଡ଼ ନ ମାରିବାକୁ କାନ୍ଦି କାନ୍ଦି କାକୁତି ମିନତି ହୋଇଥିଲେ ମଧ୍ୟ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଗୁପ୍ତାଙ୍ଗକୁ ଟାଣି ମାଡ଼ ମାରିଥିବାବେଳେ ତାଙ୍କୁ ଜୀବନରେ ମାରିଦେବାକୁ କହିଥିଲେ। ପ୍ରେମିକ ଘରେ ଥିବା ଏକ ଠେଙ୍ଗାରେ ତାଙ୍କୁ ନିସ୍ତୁକ ମାଡ଼ ମାରିବାରୁ ତାଙ୍କ ବାମ ହାତ ଓ ବାମ ଗୋଡ ଭାଙ୍ଗିଯାଇଥିଲା। ସେ କୌଶଳ କ୍ରମେ ଘର ଭିତରୁ ଦୌଡ଼ି ପଳାଇଥିଲେ। ସ୍ତ୍ରୀ ଓ ପ୍ରେମିକ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଥିଲେ। ସେ ତଳେ ପଡିଯିବାରୁ ମୃତ୍ୟୁବରଣ କରିଥିବା ଭାବି କରି ଉଭୟେ ପଳାଇଥିଲେ। ପ୍ରାଣ ଭୟରେ ସେ ଘର ନିକଟ ଏକ ବୁଦା ଉହାଡରେ ରାତି ସାରା ଲୁଚି ରହିଥିଲେ। ସକାଳେ ଖବରପାଇ ତାଙ୍କ ଶାଳକ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି ।
Odisha’s No.1 Odia Daily