Categories: ଜାତୀୟ

ଦ୍ରୌପଦୀଙ୍କ ସପକ୍ଷରେ ଯିବା ଅର୍ଥ ନୁହେଁ ଭାଜପାକୁ ସମର୍ଥନ କରିବା: ସଞ୍ଜୟ

ମୁମ୍ବାଇ,୧୨ ।୭: ଶିବସେନାରେ ତୁତୁ ମେମେ ଜାରି ରହିଛି । ଗୋଟିଏ ପଟେ ଦଳର ୪୦ ବିଧାୟକ ପ୍ରଥମେ ଅଲଗା ହୋଇଯାଇଥିବା ବେଳେ ଏବେ ଶିବସେନା ଏମ୍‌ପିମାନେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଉଛନ୍ତି । ଏମାନେ କହୁଛନ୍ତି ଶିବସେନା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁ । ଏପଟେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କର ଓକିଲାତି କରୁଛନ୍ତି ।
ସୂଚନାଯୋଗ୍ୟ, ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସୋମବାର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ଦଳର ୧୮ ଲୋକ ସଭା ଏମପିଙ୍କ ମଧ୍ୟରୁ ୧୩ ଜଣ ଯୋଗ ଦେଇଥିଲେ । ଏଥିମଧ୍ୟରୁ ଅଧିକାଂଶ ଏମପି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା କଥାରେ ନାରାଜ ହୋଇ ଏମପି ସଞ୍ଜୟ ରାଉତ ବୈଠକରୁ ଉଠି ଚାଲି ଯାଇଥିଲେ ।
ଏବେ ଏହାର ସଫେଇ ଦେଇ ରାଉତ କହିଛନ୍ତି ମୋର ସାମନା କାର୍ଯ୍ୟାଳୟରେ କାମ ଥିବାରୁ ମୁଁ ଚାଲି ଯାଇଥିଲି । ଯିଏ କହୁଛି ଯେ ମୁଁ ନାରାଜ ହୋଇ ଉଠି ଯାଇଛି ସେ ମୁର୍ଖ । ତେବେ ଆଦିବାସୀ ଅଞ୍ଚଳରେ ଶିବସେନା କର୍ମୀ ବି କାମ କରୁଛନ୍ତି । ସୋମବାରର ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା କଥା ଆଲୋଚନା ହୋଇଥିଲା । ଆମ ସମସ୍ତଙ୍କ ରାୟକୁ ବୁଝୁଛୁ । ହେଲେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ବା ସମର୍ଥନ କରିବାର ଅର୍ଥ ନୁହେଁ ଯେ ଆମେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସପୋର୍ଟ କରୁଛୁ ବା ସମର୍ଥନ କରୁଛୁ । ତେବେ ଆସନ୍ତା ଦିନେ-ଦୁଇଦିନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ନେଇ ଶିବସେନାର ଭୂମିକା ସ୍ପଷ୍ଟ ହୋଇଯିବ, ଖୁବଶୀଘ୍ର ଉଦ୍ଧବ ଠାକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସଞ୍ଜୟ କହିଛନ୍ତି ।

Share