ସେପ୍ଟେମ୍ବରରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ ଭାରତରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌)ର ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ନିର୍ଦ୍ଦେଶକ ପ୍ରିୟ ଆବ୍ରାହାମ କହିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଓଟିଟି ଚ୍ୟାନେଲ ‘ଇଣ୍ଡିଆ ସାଇନ୍ସ’କୁ ଏକ ସାକ୍ଷାତ୍‌କାର ଦେଇ ଆବ୍ରାହମ୍‌ କହିଥିଲେ, ସେପ୍ଟେମ୍ବର ସୁଦ୍ଧା ଭାରତ ପିଲାମାନଙ୍କ ପାଇଁ ସ୍ବଦେଶୀ କୋଭିଡ୍‌ ଟିକା ପାଇବାକୁ ଯାଉଛି। ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ସେ କହିଥିଲେ। ସେହିପରି ଜାଇଡସ୍‌ କାଡିଲା କମ୍ପାନୀ ପିଲାମାନଙ୍କ ପାଇଁ ଜାଇକୋଭ୍‌-ଡି ଟିକା ପ୍ରସ୍ତୁତ କରିଛି। ଡିସିଜିଆଇ ଅନୁମୋଦନ ମିଳିଲେ, ଉକ୍ତ ଟିକାକୁ ମଧ୍ୟ ଭାରତର ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଜରୁରୀ ବ୍ୟବହାର ମଞ୍ଜୁରୀ ପାଇଁ ଏହାର ଆବେଦନ ବିଚାରାଧୀନ ରହିଛି।

Share