ସେପ୍ଟେମ୍ବରରେ ସଂକ୍ରମଣ ବଢ଼ିବା ପରେ କମିଯିବ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍‌ମେଣ୍ଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଟେଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ଅଧିକରୁ ଅଧିକ ଟେଷ୍ଟ ହେଉଥିଲେ ମଧ୍ୟ ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହୁଛି। ସଂକ୍ରମଣ ହ୍ରାସ ପାଉଥିବାବେଳେ ଆକ୍ରାନ୍ତ ଓ ମୃତ୍ୟୁ ହାର କମ୍‌ ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲରେ ଅଛି। ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। କିନ୍ତୁ ଏହାପରେ କମିଯିବ ବୋଲି ଜୀବନ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେରଳେ କମିଯାଇଥିବା ସଂକ୍ରମଣ ଏବେ କିନ୍ତୁ ପୁଣି ବଢ଼ିଛି। ଏହି ନୂଆ ଭୂତାଣୁ ସମ୍ପର୍କରେ କିଛି ସଠିକ୍‌ ଭାବେ କହିବା ସମ୍ଭବ ନୁହେଁ। ଏ ନେଇ ଦ୍ୱିତୀୟ ପର୍ଯ୍ୟାୟ ଗବେଷଣା ଚାଲିଛି। ବିଭିନ୍ନ ଜିଲାର ୧୨୮ଟି ନମୁନା ସଂଗ୍ରହ ହୋଇଛି। ଏହା କେଉଁ ପ୍ରକାର ଭୂତାଣୁ ତାହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଜଣାପଡ଼ିଯିବ ବୋଲି ପରିଡ଼ା କହିଛନ୍ତି।