ସ୍କୁଟି ଦୁର୍ଘଟଣାରେ ଅଙ୍ଗନଓ୍ବାଡି କର୍ମୀଙ୍କ ଜୀବନ ଗଲା, ଦିଅର ଆହତ

ଦେବଗଡ଼,୨୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କୀର୍ତ୍ତନପାଲି ଛକଠାରେ ୫୩ ନମ୍ବର ଜାତୀୟ ରାଜପଥରେ ୨ଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ତେବେ ସ୍କୁଟି ଚଳାଉଥିବା ତାଙ୍କ ଦିଅର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ,କୀର୍ତ୍ତନପାଲି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ଗୀତାଞ୍ଜଳି ବେହେରା ଗୁରୁବାର ରିଆମାଳ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଚାଲିଥିବା ଏକ ବୈଠକରେ ଯୋଗଦେଇ ଅପରାହ୍ନରେ ତାଙ୍କ ଦିଅର କିଶୋର ଚନ୍ଦ୍ର ବେହେରାଙ୍କ ସହ ନିଜର ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ତେବେ କୀର୍ତ୍ତନପାଲି ଛକଠାରେ ୫୩ ନମ୍ବର ଜାତୀୟ ରାଜପଥରେ ସମ୍ମୁଖ ପଟୁ ଆସୁଥିବା ସ୍କୁଟି ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୀତାଞ୍ଜଳି ଗୁରୁତର ହୋଇଥିବା ବେଳେ ଓ ତାଙ୍କ ଦିଅର କିଶୋର ରାସ୍ତା ଉପରକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଉଭୟଙ୍କୁ ଛତାବର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ଗୀତାଞ୍ଜଳିଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ସୂଚନା ପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଧକ୍କା ହୋଇଥିବା ଅନ୍ୟତମ ସ୍କୁଟିରେ ବସିଥିବା ୨ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି।