ବିଶ୍ୱନିନ୍ଦୁକଙ୍କ ସମ୍ପର୍କରେ

ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଆମ ଶାସ୍ତ୍ରକାରମାନେ ମଣିଷ ଭିତରେ ଥିବା ରିପୁ ସମୂହକୁ କାମ, କ୍ରୋଧ, ହିଂସା, ଲୋଭ ଆଦି ଷଡ଼ରିପୁରେ ସୀମିତ କରି ରଖିଥିଲା ବେଳେ ଅନ୍ୟ ଯେଉଁ ପ୍ରମୁଖ ରିପୁଟିକୁ ତାହା ଭିତରେ ସ୍ଥାନିତ କରିବାକୁ ଭୁଲି ଯାଇଥିଲେ, ତାହା ବୋଧହୁଏ ‘ନିନ୍ଦା’। ଜଣେ ସମାଜଶାସ୍ତ୍ରୀଙ୍କ ମତରେ ଏ ସଂସାରରେ ଖୁବ୍‌ କମ୍‌ ଲୋକ ଥିବେ, ଯିଏ ତାଙ୍କ ଜୀବନରେ କେବେ କାହାକୁ ନିନ୍ଦା କରି ନ ଥିବେ। କାହାର ପ୍ରଶଂସାଯୋଗ୍ୟ ଭଲ କାମଟିଏ ଆଖିରେ ପଡ଼ିଲେ ମୁହଁରେ ପ୍ରଶଂସାସୂଚକ ଶବ୍ଦଟିଏ ସ୍ଫୁରିବା ଏତେ ସହଜ ହୋଇ ନ ପାରେ, ମାତ୍ର ଟିକେ ପାନରୁ ଚୂନ ଖସିଗଲେ ମୁଣ୍ଡ ଉପରେ ଦୁନିଆଯାକର ନିନ୍ଦା ଅଜାଡ଼ି ପଡ଼ିବାକୁ ଆଦୌ ବିଳମ୍ବ ହୁଏନା। ଯାହା କିଛି ପ୍ରଶଂସ୍ୟ, ତାହାକୁ ପ୍ରଶଂସା କରିବାକୁ ଆଗେଇ ଆସିବା ଯେତିକି ଜରୁରୀ, ଯାହା କିଛି ନିନ୍ଦନୀୟ, ତାହାକୁ ନିନ୍ଦା କରିବା ମଧ୍ୟ ସେତିକି ଆବଶ୍ୟକ। ଅଥଚ ଲକ୍ଷ୍ୟ କରିବାର କଥା, ନିନ୍ଦା କରିବାକୁ ଆମେ ଯେତିକି ଆଗଭର; ପ୍ରଶଂସା କରିବାକୁ ଠିକ୍‌ ସେତିକି ପରାଙ୍‌ମୁଖ। ମଣିଷ ମନର ଏହି ବିଚିତ୍ର ମନସ୍ତାତ୍ତ୍ୱିକ ରହସ୍ୟର କ’ଣ କାରଣ ଥାଏ କେଜାଣି, ସଚରାଚର ଆତଯାତ ହେଉଥିବା ସବୁ ମଣିଷ ପ୍ରାୟ ଏହି ପ୍ରଜାତିର।
ତେବେ ଏଠାରେ ଆଲୋଚ୍ୟ ପ୍ରସଙ୍ଗଟି ଟିକେ ବିଶେଷ ପର୍ଯ୍ୟାୟର। ଏହି ପର୍ଯ୍ୟାୟର ସେହି ବିଶେଷ କିସମର ମଣିଷମାନେ ଜୀବନରେ ପ୍ରଶଂସା କମ୍‌, ନିନ୍ଦା ଅଧିକ କରିବାରେ ଅଭ୍ୟସ୍ତ ଥା’ନ୍ତି। ଶହେବାର ପ୍ରଶଂସା ପାଇବାର ଯୋଗ୍ୟତା ରଖୁଥିବା କାହାର କୌଣସି କାମ ପାଇଁ ଏମାନଙ୍କ ମୁହଁରୁ ପଦୁଟିଏ ପ୍ରଶଂସା ବାହାରିବାର ନାହିଁ, ଅଥଚ ସେଇ ସମାନ ଲୋକର ସମାନ ଭୁଲ୍‌ ପାଇଁ ଏମାନେ ନିନ୍ଦା କରିବାରେ ପ୍ରଗ୍‌ଳଭ ହୋଇ ଉଠିବେ। ଏମାନଙ୍କର ଏହା କି ପ୍ରକାର ଦୃଷ୍ଟିଦୋଷ, ତାହା ଅନ୍ୟ ଏକ ବିଚାର ଆଲୋଚନାର ଅପେକ୍ଷା ରଖୁଥିବା ବେଳେ ଏକଥା କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେ ଅଧାଗ୍ଲାସ୍‌ ପାଣିକୁ ଏମାନେ ‘ଗ୍ଲାସ୍‌ରେ ଅଧା ପାଣି ଅଛି’ ବୋଲି ନ କହି ‘ଗ୍ଲାସ୍‌ରେ ଅଧା ପାଣି ନାହିଁ’ ବୋଲି କହିବାରେ ଅଧିକ ରୁଚି ରଖନ୍ତି। କାହା ଭିତରେ କ’ଣ ଥିବାରୁ ତାହା ଅଧିକ ସୁନ୍ଦର ବୋଲି ଦେଖି ନ ପାରି କାହା ଭିତରେ କ’ଣ ନ ଥିବାରୁ ତାହା ଅଧିକ ଅସୁନ୍ଦର ବୋଲି ବେଶି ବର୍ଣ୍ଣନା କରନ୍ତି। ମୋଟ ଉପରେ କହିବାକୁ ଗଲେ ଯାହା କିଛି ଭଲ, ତାହା ଏମାନଙ୍କ ଦୃଷ୍ଟିପଟଳରୁ ହଜି ଯାଉଥିବା ବେଳେ କେବଳ ସେଇସବୁ ଦୃଶ୍ୟ ଏମାନଙ୍କ ଆଖିରେ ଧରାପଡ଼ନ୍ତି, ଯାହା ବିରୋଧରେ ଉଚ୍ଚ ସ୍ବରରେ ଚିତ୍କାର କରି ନିନ୍ଦା କରି ହେବ। ଏମାନଙ୍କ ଦୃଷ୍ଟି ପ୍ରଖରତା ଓ ନିନ୍ଦା କରିବାର ପ୍ରବଣତାକୁ ନେଇ ଏମାନଙ୍କୁ ବିଶ୍ୱନିନ୍ଦୁକ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
ଗତ ହୋଲିଦିନ ଏକ ଥାନାର ପୋଲିସ ବାବୁମାନେ ନିଜ ନିଜର ହୋଲି କର୍ତ୍ତବ୍ୟ ସଂପାଦନ କରି ଥାନାକୁ ଫେରି ଆସିଲା ପରେ ନିଜ ନିଜ ମଧ୍ୟରେ ହୋଲି ଖେଳି କ’ଣ ଟିକିଏ ମଉଜ ମସ୍ତି କଲେ ଯେ, ସେଇ ଦିନଯାକ ଓ ତା’ ପର ଦୁଇଦିନ ସାମାଜିକ ଗଣମାଧ୍ୟମରେ ତାଙ୍କ ସପ୍ତପୁରୁଷ ଉଦ୍ଧାର କରିବାରେ ଲାଗିପଡ଼ିଲେ କେବଳ ଭୁଲ ଦେଖିବାରେ ଅଭ୍ୟସ୍ତ ଥିବା ଆମ ବିଶ୍ୱନିନ୍ଦୁକମାନେ। ସେମିତି କେଇ ଦିନ ତଳେ ରାଜ୍ୟର ଏକ ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ହଠାତ୍‌ ଡାକ୍ତରବାବୁ ଖବର ପାଇଲେ ଯେ, ତାଙ୍କର ଜଣେ ଆମତ୍ୀୟ ରାସ୍ତା ଦୁର୍ଘଟଣାରେ ଆହତ ହୋଇ ସେହି ହସ୍ପିଟାଲର ଆଶୁ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଛନ୍ତି। ରୋଗୀମାନଙ୍କୁ ଟିକିଏ ଅପେକ୍ଷା କରିବାକୁ କହି ସେ ତାଙ୍କର ସେହି ଆହତ ଆମତ୍ୀୟଙ୍କ ଅବସ୍ଥା ଦେଖିବାକୁ ଚାଲିଗଲେ ଯେ, ପ୍ରଣବ ଅଶୁଦ୍ଧ ହୋଇଗଲା ଓ ତାଙ୍କ ଉପରେ ଅଜାଡ଼ି ପଡ଼ିଲା ‘ଦାୟିତ୍ୱହୀନ’ ଓ ‘କର୍ତ୍ତବ୍ୟବିମୁଖ’ ଆଦି ଯେତେ ନିନ୍ଦାସୂଚକ ଶବ୍ଦ।
ଲକ୍ଷ୍ୟ କରିବାର କଥା, ଥାନାର ସେଇ ପୋଲିସମାନେ ସେମାନଙ୍କ କର୍ତ୍ତବ୍ୟକୁ ପଛରେ ପକାଇ ବା ଥାନାକୁ ଆସିଥିବା ଅଭିଯୋଗକାରୀଙ୍କୁ ସମୟ ନ ଦେଇ ହୋଲି ନାଚଗୀତରେ ମସ୍ତ କରୁ ନ ଥିଲେ କି ଡାକ୍ତରବାବୁ ତାଙ୍କ ଆହତ ସମ୍ପର୍କୀୟଙ୍କ ଅବସ୍ଥା ବୁଝିବାକୁ ଯିବା ପୂର୍ବରୁ ସହକର୍ମୀଙ୍କ ସଙ୍ଗେ ଚେସ୍‌ ଖେଳୁ ନ ଥିଲେ। ସେମାନେ ଯିଏ ଯାହାଙ୍କ କର୍ତ୍ତବ୍ୟର ମୂଲ୍ୟ ଠିକ୍‌ ବୁଝିଥିଲେ ଓ ବୃତ୍ତି ଜୀବନ ବାହାରେ ସଞ୍ଚରିତ ହେଉଥିବା ବ୍ୟକ୍ତି ଜୀବନର ଆହ୍ବାନରେ କେଉଁଠି ଟିକିଏ ହୋଲିର ମଜା ନେଇଥିଲେ ତ ଅନ୍ୟ କେଉଁଠି ସମ୍ପର୍କୀୟଙ୍କ ଦୁର୍ଘଟଣାରେ ଟିକିଏ ଆହା କହି ସାହା ହେବାକୁ ଆଗେଇ ଯାଇଥିଲେ। ଅଥଚ ସେମାନଙ୍କ ପୂର୍ବ କର୍ତ୍ତବ୍ୟନିଷ୍ଠା ପ୍ରତି ବିସ୍ମୃତ ହୋଇ କେବଳ ଗୋଟିଏ ଦୃଷ୍ଟାନ୍ତର ବିଚାରରେ ‘ଦାୟିତ୍ୱହୀନ’ ବୋଲି କଟୁ ମନ୍ତବ୍ୟଟିଏ ଦେଇ ଆମ ନିନ୍ଦୁକ ଭାଇମାନେ ସେମାନଙ୍କ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି।
ଟ୍ରାଫିକ୍‌ କନଷ୍ଟେବଳ ଅଗ୍ନିବର୍ଷୀ ଖରାରେ ଛିଡ଼ା ହୋଇ ନିଜର କର୍ତ୍ତବ୍ୟ ସଂପାଦନ କରୁଥିଲା ବେଳେ ଆମକୁ କେବେ କଷ୍ଟ ଲାଗିଛି କି? ଖରାବର୍ଷାକୁ ଖାତିର ନ କରି ଟ୍ରାଫିକ୍‌ ପୋଷ୍ଟରେ ଛିଡ଼ା ହୋଇ ନିଜର ଦାୟିତ୍ୱ ନିର୍ବାହ କରୁଥିଲା ବେଳେ ଆମେ କେବେ ତାଙ୍କ ପ୍ରଶଂସା କରିଛୁ କି? ଛତିଶଗଡ଼ର ସେଇ ବୀର ଶହୀଦ ପୋଲିସ ବାଇଶଜଣଙ୍କର ଅକାଳ ଅବସାନ ପରେ ଆମେ କେବେ ସେମାନଙ୍କ ପିଲା ପରିବାରର ଦୁର୍ଭାଗ୍ୟ ସଂପର୍କରେ ଚିନ୍ତା କରିଛୁ କି? ନିଜ ଜୀବନକୁ ବିପଦ ମୁହଁକୁ ଠେଲି କରୋନା ଯୋଦ୍ଧା ଭଳି ଶୁଖିଲା ଗୌରବ ଗୋଟାଉଥିବା ଡାକ୍ତରଙ୍କ ଶଙ୍କାଗ୍ରସ୍ତ ପରିବାରର କଥା କେବେ ମନକୁ ଆଣିଛୁ କି? ଊଣାଅଧିକେ ଏଇସବୁ ପ୍ରଶ୍ନର ଉତ୍ତରକୁ ନିଜ ମଧ୍ୟରେ ଲାଳିତ କରିବାର ବାସ୍ତବତା ଯେତେବେଳେ ଶୂନ ପ୍ରତିଶତ, ସେତେବେଳେ ଉପରୋକ୍ତ ଦୁଇଟି ଘଟଣା ବା ସେହିଭଳି ଅନ୍ୟ କିଛି ଘଟଣା ବିରୋଧରେ ମୁହଁ ଖୋଲିବାକୁ ଆମ ଭଳି ବିଶ୍ୱ ନିନ୍ଦୁକମାନେ ସବୁବେଳେ ତତ୍ପର! କାରଣ ଏଭଳି ନିନ୍ଦା ବା ସମାଲୋଚନା କରିବାରେ କାଳେ ପ୍ରଚ୍ଛଦ ଭାବେ ନିହିତ ଥାଏ ଏକ ସାମାଜିକ ଦାୟବଦ୍ଧତା, ଅସଙ୍ଗତି ବିରୋଧରେ ଗଣସଚେତନତା! କେଜାଣି!
ଯେତେ ଯାହା ଭଲ କଲେ ବି ସେଇ ଭଲ ମଧ୍ୟରୁ ବି ବିଶ୍ୱନିନ୍ଦୁକମାନେ ଛିଦ୍ରଟିଏ ଖୋଜି ତା’ ବିରୋଧରେ ମୁହଁ ଖୋଲିବାକୁ ଆଗେଇ ଆସିବେ। ଆଣ୍ଠୁଗଣ୍ଠିବାତ ରୋଗର ସାକ୍ଷାତ ଧନ୍ବନ୍ତରୀ ବୋଲି ବିବେଚିତ କଟକ ବଡ଼ ମେଡିକାଲର ଜଣେ ବଡ଼ ଡାକ୍ତର ନିଜର ନିଆରାପଣ ପାଇଁ ସମଗ୍ର ରାଜ୍ୟରେ ସୁପରିଚିତ। ସେ ନିଜର ସରକାରୀ କାର୍ଯ୍ୟ ପରିସର ବାହାରେ ଘରୋଇ ଭାବେ ରୋଗୀ ଦେଖନ୍ତିନି କି ଅନାବଶ୍ୟକ ପରୀକ୍ଷାନିରୀକ୍ଷା କରାଇ ରୋଗୀଙ୍କୁ ଖର୍ଚ୍ଚାନ୍ତ କରାନ୍ତି ନାହିଁ ବା ତହିଁରୁ ଉଚ୍ଚ କମିସନ ଗୋଟାନ୍ତି ନାହିଁ। ନିଜ ବୃତ୍ତିକୁ ସହଜ ଧନ ଅର୍ଜନର ଏକ ମାଧ୍ୟମ ମନେ ନ କରି ରୋଗ ଜ୍ୱାଳାରେ ଘାଣ୍ଟି ହେଉଥିବା ରୋଗୀଙ୍କୁ ଚିକିତ୍ସାର ଚନ୍ଦନ ସ୍ପର୍ଶ ଦେବାର ଏକ ସେବା ବିଚାରୁଥିବା ଏହି ଡାକ୍ତର କେବଳ ତାଙ୍କ ରୋଗୀଙ୍କ ପାଇଁ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଜଣେ ଦ୍ୱିତୀୟ ଈଶ୍ୱର। ଅଥଚ ତାଙ୍କୁ ମଧ୍ୟ ଆମ ବିଶ୍ୱନିନ୍ଦୁକମାନେ ‘ଲମ୍ବା ଲାଇନର ଡାକ୍ତର’ କହି ନାକ ଟେକନ୍ତି।
ନିଜର ବିରଳ ବଦାନ୍ୟତା ଓ ଲୋକକଲ୍ୟାଣକାରୀ ଆଭିମୁଖ୍ୟ ପାଇଁ ସମଗ୍ର ଭାରତବାସୀଙ୍କ ନିକଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ତ ସମସ୍ତେ ଜାଣିଛନ୍ତି। ନିଜର ଏକ କମ୍ପାନୀ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ମଧ୍ୟମ ବର୍ଗର କର୍ମଚାରୀଙ୍କ ଅସୁସ୍ଥତା ସଂପର୍କରେ ଖବର ପାଇ ସେ ଏକ ମୋଟା ରକମର ସାହାଯ୍ୟ ଅନୁଦାନ ଧରି ତାଙ୍କ ଘରେ ପହଞ୍ଚତ୍ ଯାଇଥିଲେ ଓ ଅସୁସ୍ଥ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ତାଙ୍କ ଘରେ ଦିବାଭୋଜନ କରି ଫେରି ଯାଇଥିଲେ। ଏକ ଭିନ୍ନ ମାନବୀୟ ପ୍ରତିବେଦନର ସ୍ପଷ୍ଟ ସଙ୍କେତ ଦେଉଥିବା ରତନଜୀଙ୍କର ଏହି ଆଦର୍ଶ ଆଚରଣ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା, ଯେତେବେଳେ କରୋନା ସଙ୍କଟର ପ୍ରଥମ ପର୍ଯ୍ୟାୟରେ ସେ ପନ୍ଦରଶହ କୋଟି ଟଙ୍କାର ବିଶାଳ ଧନରାଶି କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଥିଲେ। ଅଥଚ ତାଙ୍କର ଏହି ମହତ୍‌ ଜୀବନାଦର୍ଶର ବିବରଣୀ ଯେତେବେଳେ ଗଣମାଧ୍ୟମରେ ପ୍ରସାରିତ ହେଲା, ସେତେବେଳେ ଜଣେ ବିଶ୍ୱନିନ୍ଦୁକଙ୍କ ମନ୍ତବ୍ୟ ଥିଲା ଏହିପରି-”ହଁ, କୋଉ ବଡ଼କଥାଟାଏ ଯେ! ଆମଠାରୁ ଚା, ଲୁଣରୁ ଆରମ୍ଭ କରି ଖଣି ଖାଦାନଯାଏ ଲକ୍ଷ ଲକ୍ଷ ଟଙ୍କା ନେଇ ଦଶ ଶହେ ପକାଇ ଦେବାରେ କି ଦାନୀପଣ ଥାଏ ଯେ!“
ଗୋଟିଏ ପୂର୍ଣ୍ଣଗର୍ଭା ଜଳାଶୟରେ ଫୁଟି ଉଠିଥିଲା ଶହ ଶହ ସୁନ୍ଦର ସୁଗନ୍ଧିତ ପଦ୍ମଫୁଲ। ଅନୁପମ ସୌନ୍ଦର୍ଯ୍ୟରେ ଆକର୍ଷିତ କରୁଥିଲା ଦର୍ଶକର ତନୁମନକୁ। ଏମିତି ସ୍ବର୍ଗୀୟ ଆକର୍ଷଣକୁ ଏଡ଼ାଇ ନ ପାରି ପଦ୍ମପ୍ରେମୀ ଜଣେ ପାଣିରେ ପଶିଲା ଓ ପହଞ୍ଚତ୍ଗଲା ଫୁଲମାନଙ୍କର ଅତି ନିକଟରେ। ମାତ୍ର ହାୟ! ପଦ୍ମର ଆକର୍ଷଣକୁ ପାସୋରି ପକାଇ ସେ ପାଣି ଭିତରେ ଥିବା ପଙ୍କ ପ୍ରେମରେ ପଡ଼ିଗଲା ଓ ପ୍ରଚଣ୍ଡ ପରାକ୍ରମରେ ପଙ୍କ ଘାଣ୍ଟିବା ଆରମ୍ଭ କରିଦେଲା। ଶେଷରେ ଦେହସାରା ପଙ୍କ ସାଲୁବାଲୁ ହୋଇ ଗୋଟିଏ ବି ପଦ୍ମପୁଷ୍ପ ତୋଳି ନ ପାରି ସେ କୂଳକୁ ଫେରିଗଲା ଓ ବାଚାଳଙ୍କ ପରି ଘୋଷଣା କଲା,”ପଙ୍କ ଭିତରେ ଫୁଟିଥିବା ପଦ୍ମ ସବୁଠୁ ବାଜେ ଫୁଲ!“
ଆମ ବିଶ୍ୱନିନ୍ଦୁକମାନଙ୍କ ଅବସ୍ଥା ଠିକ୍‌ ଏହିପରି। ସେମାନଙ୍କୁ ପଦ୍ମର ସୁରଭି ଆଘ୍ରାଣ କରିବା ଅପେକ୍ଷା ଅଧିକ ଭଲ ଲାଗେ ପଙ୍କରେ ଘାଣ୍ଟିହେବା। କେବଳ ଏ କାଳରେ ନୁହେଁ, ସବୁ କାଳରେ ଏମାନେ ଏଇମିତି। ଚଉଦବର୍ଷର କଠୋର ବନବାସ ସାରି ରାଜା ରାମଚନ୍ଦ୍ର ଅଯୋଧ୍ୟା ରାଜ ସିଂହାସନରେ ପୁନରାଭିଷିକ୍ତ ହେଲା ପରେ ଥରେ କେଇଜଣ ପ୍ରଜାଙ୍କ ସହ କଥା ହେଉଥିଲା ବେଳେ ତାଙ୍କ ଅବର୍ତ୍ତମାନରେ ଭରତଙ୍କ ରାଜ୍ୟ ଶାସନ କେମିତି ଚାଲିଥିଲା ବୋଲି ଅବଲୀଳା କ୍ରମେ ପଚାରିଦେଲେ। ଉତ୍ତର ମିଳିଲା, ”ସବୁ କିଛି ଏମିତି ସୁରୁଖୁରୁରେ ଚାଲିଥିଲା ଯେ, ଆପଣ ଅଯୋଧ୍ୟାରେ ନାହାନ୍ତି ବୋଲି ଆମେ ଆଦୌ ଅନୁଭବ କରିପାରୁ ନ ଥିଲୁ। ତେବେ କେବଳ ଗୋଟିଏ କଥାରେ ପ୍ରଜାମାନଙ୍କର ମନ ଊଣା ହୋଇ ଯାଉଥିଲା।“ ସେଇ କଥାଟି କ’ଣ ବୋଲି ଜାଣିବାକୁ ରାଜା ରାମ ଆଗ୍ରହ ପ୍ରକାଶ କରନ୍ତେ ପ୍ରଜା ଜଣକ ଇତସ୍ତତଃ ହୋଇ କହିଲେ, ”କଥା ହେଲା, ଆପଣଙ୍କ ଅବର୍ତ୍ତମାନରେ ରାଜା ଭରତ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବାରୁ ରାଜକୀୟ ଖାଦ୍ୟ ପରିବର୍ତ୍ତେ ଅତି ସାଧାରଣ ଖାଦ୍ୟ ଗ୍ରହଣ କରୁଥିଲେ ଓ ସେଥିପାଇଁ ନିତିଦିନ ଲୋଡ଼ା ପଡୁଥିଲା ତାଙ୍କର ସବୁଠୁ ପ୍ରିୟ ଖାଦ୍ୟ କାନସିରି ଶାଗ। ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ତାଙ୍କ ପାଇଁ କାନସିରି ଶାଗ ସଂଗୃହୀତ ହୋଇ ପାକଶାଳାକୁ ଆସୁଥିବାରୁ ପ୍ରଜାମାନେ ସର୍ବସୁଖରେ ଥିଲେ ବି ଟିକେ କାନସିରି ଶାଗ ଖାଇବାକୁ ପାଉ ନ ଥିଲେ।“ ଏପରି ଅଜବ ଅଭିଯୋଗ ଶୁଣି ରାମ ସେତେବେଳେ ତଟସ୍ଥ ହୋଇଥିଲେ କି ନାହିଁ କେଜାଣି, କିନ୍ତୁ ସେକାଳରୁ ଏକାଳଯାଏ ପ୍ରାପ୍ତିର ପ୍ରାଚୁର୍ଯ୍ୟକୁ ପ୍ରଶଂସା କରିବାଠାରୁ ଅପ୍ରାପ୍ତିର ଅସନ୍ତୋଷକୁ ପ୍ରକାଶ କରୁଥିବା ବିଶ୍ୱନିନ୍ଦୁକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି।
ପ୍ରଜ୍ଞାନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦, ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri