ପାକିସ୍ତାନରେ ୩ ବର୍ଷରେ ୨୩ ହଜାରରୁ ଅଧିକ ପୁରୁଷ ଲିଙ୍ଗ ପରିବର୍ତ୍ତନ କରି ହୋଇଛନ୍ତି ମହିଳା…

ଇସଲାମାବାଦ, ୨୭।୯ : କିନ୍ନର ସମ୍ପ୍ରଦାୟରଙ୍କୁ ଆଇନଗତ ସ୍ବୀକୃତି ପ୍ରଦାନ କରିବା ପାଇଁ ପାକିସ୍ତାନରେ ଅଣାଯାଇଥିବା ଟ୍ରାନ୍ସଜେଣ୍ଡର ଆଇନକୁ ଅନେକ ଇସଲାମ ସଂଗଠନ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଇସଲାମିକ ସଂଗଠନଗୁଡ଼ିକ ଏହାକୁ ନିରନ୍ତର ବିରୋଧ କରୁଛନ୍ତି। ୨୦୧୮ରେ ସଂସଦ ଦ୍ୱାରା ପାରିତ ହୋଇଥିବା ଏହି ଆଇନ ବିରୋଧରେ ମୌଳିବାଦୀ ରାଜନୈତିକ ଦଳ ଜମାତ-ଇ-ଇସଲାମି ଦ୍ୱାରା ଏକ ପିଟିଶନ ଦାଖଲ କରାଯାଇଥିଲା। ସିନେଟର ମୁଶ୍ଟାକ ଅହମ୍ମଦ ଖାନ ଏହି ଦାବିରେ କହିଛନ୍ତି ଯେ ଏହି ଆଇନ ସମଲିଙ୍ଗୀ ବିବାହ ଏବଂ ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିଥାଏ।

ଅପରପକ୍ଷରେ ପାକିସ୍ତାନୀ ସଂସଦର ବାଚସ୍ପତି ସାଦିକ ସଞ୍ଜରାନି କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ଆଇନ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା ସଂଶୋଧନକୁ ବିଚାର କରିବାକୁ ଗଠିତ କମିଟି ଆବଶ୍ୟକ ହେଲେ ଇସଲାମ ପଣ୍ଡିତମାନଙ୍କ ସହିତ ପରାମର୍ଶ କରିବ। ଇସଲାମ ନିୟମ ବିରୁଦ୍ଧରେ ସିନେଟ କଦାପି କିଛି କରିବ ନାହିଁ ବୋଲି ସେ କହିଛନ୍ତି।

ଟ୍ରାନ୍ସଜେଣ୍ଡର ଆଇନକୁ ନେଇ ସୋସିଆଲ ମିଡିଆରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରାଯାଉଛି ଯେ ଏହି ଆଇନ ପାକିସ୍ତାନରେ ରହୁଥିବା ମହିଳା ଏବଂ ପୁରୁଷମାନଙ୍କୁ ଲିଙ୍ଗ ପରିବର୍ତ୍ତନ କରିବାର ଅଧିକାର ଦେବ। ଏହା ବ୍ୟତୀତ ସମଲିଙ୍ଗୀ ବିବାହକୁ ମଧ୍ୟ ଅନୁମତି ଦେବ। ଅନେକ ସୋସିଆଲ ମିଡିଆ ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ୨୦୧୮ ରୁ ୨୦୨୧ ମଧ୍ୟରେ ଗତ ୩ ବର୍ଷରେ ବିଲ ଆରମ୍ଭ ହେବା ଠାରୁ ପାକିସ୍ତାନରେ ୨୩ ହଜାରରୁ ଅଧିକ ପୁରୁଷ ସେମାନଙ୍କର ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି। ତେବେ ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜର ଫ୍ୟାକ୍ଟ ଚେକ୍‌ରେ ଏହି ଦାବିକୁ କୌଣସି ସରକାରୀ ସ୍ବୀକୃତି ମିଳୂି ନଥିବା କୁହାଯାଇଛି।

୨୦୧୮ର ଟ୍ରାନ୍ସଜେଣ୍ଡର ଅଧିନିୟମ ନାଗରିକମାନଙ୍କୁ ପୁରୁଷ, ମହିଳା କିମ୍ବା ଟ୍ରାନ୍ସଜେଣ୍ଡର ଭାବରେ ଆତ୍ମ-ପରିଚୟ କରିବାର ଅଧିକାର ଗ୍ୟାରେଣ୍ଟି ଦେବ। ଏହା ବ୍ୟତୀତ ଏହି ସମ୍ପ୍ରଦାୟଙ୍କୁ ପାସପୋର୍ଟ, ଜାତୀୟ ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ସମେତ ସମସ୍ତ ସରକାରୀ କାଗଜପତ୍ରରେ ସେମାନଙ୍କର ପରିଚୟ ପଞ୍ଜିକରଣ କରିବାକୁ ଗ୍ୟାରେଣ୍ଟି ପ୍ରଦାନ କରିବ। ଏହି ନିୟମ ବିଦ୍ୟାଳୟ, କର୍ମକ୍ଷେତ୍ର ଏବଂ ସର୍ବସାଧାରଣ ସ୍ଥାନରେ ଟ୍ରାନ୍ସଜେଣ୍ଡର ଲୋକଙ୍କ ପ୍ରତି ଭେଦଭାବକୁ ବାରଣ କରିଥାଏ। ସେମାନଙ୍କର ଭୋଟ ଦେବାର ଅଧିକାର, ସମ୍ପତ୍ତି ମଧ୍ୟ ସୁନିଶ୍ଚିତ କରେ।

Share