ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ସିଫାର ମୁକ୍ତା ଚାଷୀ

ବାଳକାଟୀ(ଡି.ଏନ.ଏ.)/ପିପିଲି(ସ୍ବ.ପ୍ର.),୩୦।୭:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ‘ସିଫା’ରେ ମୁକ୍ତା ଚାଷ ପ୍ରଶିକ୍ଷଣ କରି ସଫଳତା ହାସଲ କରିଥିବା ଜଣେ ମୁକ୍ତା ଚାଷୀଙ୍କୁ ‘ମନ୍‌ କୀ ବାତ୍‌ ୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉ କି, ବିହାରର ବେଗୁସରାଇ ଅଞ୍ଚଳର ଜନୈକ ସରକାରୀ କର୍ମଚାରୀ ତଥା ମୁକ୍ତା ଚାଷୀ ଜୟଶଙ୍କର କୁମାର ସିଫାରେ ମୁକ୍ତା ଚାଷର ପ୍ରଶିକ୍ଷଣ ନେଇଥିଲେ। ପରେ ନିୟମିତ ଭାବେ ସିଫା ସହ ସମ୍ପର୍କ ରଖି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ସେ ଜଣେ ସଫଳ ମୁକ୍ତା ଚାଷୀ ହେବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ୍‌-୧୯ର ଦୁର୍ଦ୍ଦଶା ସମୟରେ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ମୁକ୍ତାଚାଷର ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ପାଇଁ ଉତ୍ସାହିତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗତ ଜୁଲାଇ ୨୬ରେ ପ୍ରସାରିତ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନ କରି ଆୟବୃଦ୍ଧି ପାଇଁ ବେଗୁସରାଇର ଜୟଶଙ୍କରଙ୍କ ମୁକ୍ତା ଚାଷ ଭଳି ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କ କାର୍ଯ୍ୟଧାରା ପ୍ରଂଶସା କରିବା ସହ ଆତ୍ମନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ସଫଳ ଚାଷୀ ଜୟଶଙ୍କରଙ୍କ ଏଭଳି ଦୃଢ଼ କୌଶଳ ଯୋଗୁ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବାରୁ ଭାରତୀୟ କୃଷି ଗବେଷଣା ପରିଷଦର ଉପମହାନିର୍ଦ୍ଦେଶକ ଡ.ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ସରୋଜ କୁମାର ସ୍ବାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।