Categories: ଜାତୀୟ

ମଧ୍ୟପ୍ରଦେଶରେ ଦିନକୁ ୨୯ ପିଲା ନିଖୋଜ

ନୂଆଦିଲ୍ଲୀ, ୨୩ା୫: ଦେଶରେ ଶିଶୁ ନିଖୋଜ ମାମଲା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ବିଶେଷକରି ଉତ୍ତର ଭାରତର ୪ ପ୍ରମୁଖ ରାଜ୍ୟରେ ବହୁ ସଂଖ୍ୟାରେ ଶିଶୁ ଗାଏବ ହେଉଥିବା ଶିଶୁ ଅଧିକାର ଏନ୍‌ଜିଓ ଚାଇଲ୍ଡ ରାଇଟ୍ସ ଆଣ୍ଡ୍‌ ୟୁ (କ୍ରାଏ) ପକ୍ଷରୁ ରବିବାର ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ମଧ୍ୟପ୍ରଦେଶରେ ଦିନକୁ ୨୯ ଏବଂ ରାଜସ୍ଥାନରେ ୧୪ ପିଲା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ପୁଅଙ୍କ ତୁଳନାରେ ୫ ଗୁଣା ଅଧିକ। ଜାତୀୟ ରାଜଧାନୀ ଦିଲ୍ଲୀରେ ୫ ଏବଂ ଉତ୍ତରପ୍ରଦେଶରେ ହାରାହାରି ୮ ଜଣ ପିଲା ପ୍ରତିଦିନ ଗାଏବ ହୋଇଛନ୍ତି।

ଅପରାଧ ରେକର୍ଡସ ବ୍ୟୁରୋ(ଏନ୍‌ସିଆର୍‌ବି), ୨୦୨୦ ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରେ ୮,୭୫୧ ଏବଂ ରାଜସ୍ଥାନରେ ୩,୧୭୯ ଶିଶୁ ନିଖୋଜ ମାମଲା ପଞ୍ଜୀକରଣ ହୋଇଛି। ୨୦୨୧ରେ ଏହି ସଂଖ୍ୟା ଯଥାକ୍ରମେ ୧୦,୬୪୮ ଓ ୫,୪୫୩କୁ ବୃଦ୍ଧି ପାଇଥିବା ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଇନ୍ଦୋର, ଭୋପାଳ, ଧର, ଜବଲପୁର ଏବଂ ରଓ୍ବୋ ଜିଲାରେ ଏହି ମାମଲା ସଂଖ୍ୟା ସର୍ବାଧିକ। ସେହିପରି ୨୦୨୧ରେ ଉତ୍ତରପ୍ରଦେଶରେ ୨,୯୯୮ ପିଲାଙ୍କ ନିଖୋଜ ରିପୋର୍ଟ ରହିଛି। ଏହି ରାଜ୍ୟରେ ପତ୍ତା ମିଳୁ ନ ଥିବା ପିଲାଙ୍କ ବୟସ ହାରାହାରି ୧୨ରୁ ୧୮ ବର୍ଷ ହେବ। ୟୁପିର ଲକ୍ଷ୍ନୌ, ମୋରଦାବାଦ, କାନପୁର ନଗର, ମିରଟ ଏବଂ ମହାରାଜଗଞ୍ଜ ଜିଲାରେ ନିଖୋଜ ମାମଲା ଅଧିକ ରହିଛି। ଦିଲ୍ଲୀରେ ଗତ ବର୍ଷ ୧,୬୪୧ ପିଲାଙ୍କ ସନ୍ଧାନ ମିଳି ନ ଥିବା ଜଣାପଡ଼ିଛି। ଉତ୍ତର ଭାରତରେ ଏଭଳି ମାମଲା ସବୁଠୁ ଅଧିକ ରହିଥିବାବେଳେ ଉତ୍ତରପୂର୍ବରେ ସବୁଠାରୁ କମ୍‌ ରେକର୍ଡ ରହିଛି। ତେବେ ପଶ୍ଚିମ, ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ଭାରତର ଜିଲାଗୁଡ଼ିକର ଡାଟା ରିପୋର୍ଟରେ ଉପଲବ୍ଧ ନାହିଁ।

Share