ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟିବା ଅଭିଯୋଗ ହୋଇଛି। ଅଭିଯୋଗକାରୀମାନେ ମହାରାଷ୍ଟ୍ର ଏବଂ ପ୍ରୟାଗରାଜର। ସେମାନେ ସୀତାପୁର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ (ଏଡିଏମ)ଙ୍କୁ ଭେଟି ବିଧାୟକଙ୍କ ସମ୍ପର୍କୀୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତମାନେ ୨୫ ଜଣ ମହିଳାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କଠାରୁ ପ୍ରାୟ ୬୦୦ କୋଟି, ଏକ କିଲୋଗ୍ରାମ ସୁନା ଏବଂ ରୂପା ଠକି ନେଇଛନ୍ତି।
ଭାଜପା ବିଧାୟକ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭିଡିଓ ଶେୟାର କରି ପ୍ରତିକ୍ରିୟା ଦେଇଛନ୍ତି। ଭିଡିଓରେ ବିଧାୟକ ଜ୍ଞାନ ତିୱାରୀ ତାଙ୍କ ଝିଅ ସହିତ କାନ୍ଦୁଥିବାର ଦେଖାଯାଇଛି ଏବଂ ତାଙ୍କ ସମୁଦି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଥିବା ଶୁଣାଯାଉଛି। ଏହାସହ ସମୁଦିଙ୍କୁ ଫାଶୀ ଦିଆଯାଉ ବୋଲି କହୁଛନ୍ତି।
ସୀତାପୁରର ମିଶ୍ରିଖ ତହସିଲର ଚନ୍ଦ୍ରାଭାଲର ବାସିନ୍ଦା ଅନୁଜ ତ୍ରିବେଦୀଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଏବଂ ପ୍ରୟାଗରାଜର ପୀଡିତ ମହିଳାମାନେ ଏଡିଏମ ଆୟୁଷ ଚୌଧୁରୀଙ୍କ ନିକଟରେ ଏକ ମିଳିତ ଅଭିଯୋଗ ଦାଖଲ କରିଥିଲେ। ଏଥିରେ ତ୍ରିବେଦୀଙ୍କ ଉପରେ ପ୍ରାୟ ୬୦୦ କୋଟି ଟଙ୍କା ଠକେଇର ଅଭିଯୋଗ କରାଯାଇଥିଲା।
ପୀଡିତାମାନେ ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ପ୍ରଭାବ ଯୋଗୁ କୌଣସି ଏଫଆଇଆର୍ ପଞ୍ଜିକୃତ ହେଉନାହିଁ ଏବଂ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଏହି ମାମଲା ପୂର୍ବରୁ ପଞ୍ଜିକୃତ ହୋଇଛି। ଏଡିଏମ ଆୟୁଷ ଚୌଧୁରୀ ପୋଲିସକୁ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଅନୁଜ ତ୍ରିବେଦୀ ବର୍ତ୍ତମାନ ମହାରାଷ୍ଟ୍ର ଜେଲରେ ବନ୍ଦୀ ଅଛନ୍ତି।