କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି

କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍‌ଙ୍କ ଉଦ୍‌ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି ନେଇଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଘେରି ଗଢ଼ି ଉଠିଛି। ଭିତରକନିକା ଇକୋ ସେନ୍‌ସିଟିଭ୍‌ ଜୋନ ଅଧୀନରେ ଥିବା ଅଞ୍ଚଳ ଏଥିରୁ ବାଦ ପଡୁନାହିଁ। ଫଳରେ ଜଙ୍ଗଲ ଜମି କମିଯାଉଛି। ସେହିପରି ଚିଙ୍ଗୁଡ଼ି ଘେରିର ଲୁଣା ଓ ବର୍ଜ୍ୟ ଜଳ ସ୍ଥାନୀୟ କୃଷି କ୍ଷେତକୁ ପ୍ରଭାବିତ କରୁଛି।

ଏ ସମ୍ପର୍କରେ ମହାକାଳପଡା ତହସିଲ ବଡଟୁବି ଗ୍ରାମର ରାଧାଶ୍ୟାମ ମଣ୍ଡଳ କହିଛନ୍ତି, ଚିଙ୍ଗୁଡି ଘେରି ଏବେ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଚଳିତବର୍ଷ ଧାରକରଜ କରି ୮ ଏକର ଜମିରେ ଖରିଫ ଧାନ ଚାଷ କରିଥିଲେ। ତେବେ ବ୍ୟବହାର ହେଉଥିବା ଲୁଣା ଜଳ ଚିଙ୍ଗୁଡ଼ି ଘେରି ନିକଟକୁ ଆଣିବା ଫଳରେ ଆଖପାଖ କ୍ଷେତ ନଷ୍ଟ ହୋଇଛି। ପୂର୍ବରୁ ଏ ନେଇ ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସତ୍ତ୍ୱେ ସୁଫଳ ମିଳିଲା ନାହିଁ। କ୍ଷେତ ଫସଲ ଅମଳ ସମୟ ପରେ ବନ ବିଭାଗ ଓ ତହସିଲ କର୍ତ୍ତୃପକ୍ଷ ଚିଙ୍ଗୁଡ଼ି ଘେରି ଭାଙ୍ଗୁଥିଲେ ମଧ୍ୟ ଦିନ କେତୋଟି ପରେ ଏହାର ବନ୍ଧ ସମ୍ପୃକ୍ତ ମାଲିକ ବାନ୍ଧୁଛନ୍ତିି। ଆଗାମୀଦିନରେ ଫସଲ ଏଠାରେ ଫଳିବା ନେଇ ସନ୍ଦେହ ଉପୁଜିଛି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ଜିଲାର ୬ ହଜାର ଏକର ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି ରହିଥିବା ଜିଲା ପ୍ରଶାସନ ସୂଚନା ଦେଉଥିଲେ ମଧ୍ୟ ବାସ୍ତବିକ ଏହାର ପରିମାଣ ୨୫ ହଜାରରୁ ଅଧିକ ଏକର। ଜଙ୍ଗଲ ଜମିକୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଇକୋ ସେନ୍‌ସିଟିଭ ଜୋନ ଘୋଷଣା କରିଛନ୍ତି। ତେବେ ସମୁଦ୍ରର ୨ କିଲୋମିଟର ତଟବର୍ତ୍ତୀ ଅଞ୍ଚଳରେ ଏହି ଘେରି ବହୁ ଅଧିକ ଅଛି। ଏପରିକି ଜଙ୍ଗଲ ଜମି ଉପରେ ଏହି ଘେରି ନିର୍ମାଣ ହେଉଛି। ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଘେରି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଅଛି। ମାତ୍ର ଏହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳୁନାହିଁ। ଚିଙ୍ଗୁଡ଼ି ଘେରିରୁ ବର୍ଜ୍ୟ ଜଳ ଜଙ୍ଗଲ ଓ ସାମୁଦ୍ରିକ ପରିବେଶକୁ ନଷ୍ଟ କରୁଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ଚିଙ୍ଗୁଡ଼ି ଘେରି ଚାଷୀ ରତିକାନ୍ତ ଦେବନାଥ କହିଛନ୍ତି, ଜିଲାରେ କର୍ମ ନିଯୁକ୍ତି ପାଇଁ ସୁଯୋଗ ନାହିଁ। କ୍ଷେତରୁ ଆଶାନୁରୂପକ ଅର୍ଥ ରୋଜଗାର ହେଉନାହିଁ। ଚିଙ୍ଗୁଡ଼ି ଘେରି ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହେଉଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜର କାର୍ତ୍ତିକେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ଜଙ୍ଗଲ ଜମିରେ ବେଆଇନ ଭାବେ ଗଡ଼ି ଉଠିଥିବା ଚିଙ୍ଗୁଡ଼ି ଘେରିକୁ ଉଚ୍ଛେଦ କରାଯାଇଛି। ଏହି ଜମିରେ ହେନ୍ତାଳ ବଣ ସୃଷ୍ଟି ପାଇଁ ବନ ବିଭାଗ ଗୁରୁତ୍ୱ ଦେଉଛି। ଜିଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ଜିଲାର ୧୪୦୦ ଏକର ଜମିରେ ଚିଙ୍ଗୁଡ଼ି ଘେରି ପାଇଁ ଅନୁମତି ମିଳିଛି। ଏହାବାଦ ସମସ୍ତ ଘେରିକୁ ଭାଙ୍ଗିବା ପ୍ରକ୍ରିୟା ଜିଲା ପ୍ରଶାସନ ପକ୍ଷରୁ ଜାରି ରହିଛି ବୋଲି ସେ କହିଛନ୍ତି।