Categories: ଜାତୀୟ

ଜାଳିଦେଲେ ଧାର୍ମିକ ପୁସ୍ତକ

ବେଙ୍ଗାଲୁରୁ,୧୨ା୧୨: ଧର୍ମ ପରିବର୍ତ୍ତନ ଅଭିଯୋଗରେ ଦକ୍ଷିଣପନ୍ଥୀ ଗୋଷ୍ଠୀ କର୍ନାଟକର କୋଲାରରେ ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ ପୁସ୍ତକ ଜାଳି ଦେଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଧାର୍ମିକ ବୁକଲେଟ ନ ବାଣ୍ଟିବାକୁ ଚେତାବନୀ ଦିଆଯାଇଛି। କିନ୍ତୁ ଧାର୍ମିକ ପୁସ୍ତକ ପୋଡ଼ାଜଳା ଘଟଣାରେ ଦକ୍ଷିଣପନ୍ଥୀ ଗୋଷ୍ଠିର କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ ପୋଲିସ ପକ୍ଷରୁ କୁହାଯାଇଛି।

”ଆମେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଘରରୁ ଘର ଯାଇ ସାମ୍ପ୍ରଦାୟିକ ଅସହଯୋଗ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛୁ। ଉଭୟ ପକ୍ଷ (ଦକ୍ଷିଣ ପନ୍ଥୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ) ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିଛନ୍ତି“ ବୋଲି ଜଣେ ପୋଲିସ ଅଧିକାରୀ ନା ନ କହିବା ସର୍ତ୍ତରେ କହିଛନ୍ତି।

ଖ୍ରୀଷ୍ଟିଆନ ସମ୍ପ୍ରଦାୟର କିଛି ବ୍ୟକ୍ତି ଘରରୁ ଘର ବୁଲି ଧାର୍ମିକ ବୁକଲେଟ ବାଣ୍ଟୁଥିବା ବେଳେ ଏହି ଘଟଣା ଘଟିଥିଲା। ସେମାନଙ୍କୁ ଦକ୍ଷିଣ ପନ୍ଥୀ ଗ୍ରୁପର ସଦସ୍ୟମାନେ ଅଟକ ରଖି ପଚରାଉଚରା କରିବା ପରେ ଧାର୍ମିକ ବୁକଲେଟ ଛଡ଼ାଇ ଜାଳି ଦେଇଥିଲେ।

ଗତ ୧୨ ମାସ ମଧ୍ୟରେ କର୍ନାଟକର କୋଲାର ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଉପରେ ଏହା ୩୮ତମ ଆକ୍ରମଣ। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାର ବଳପୂର୍ବକ ଧର୍ମ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏଭଳି ଘଟଣା ବାରମ୍ବାର ଘଟୁଛି।

ୟୁନାଇଟେଡ୍‌ ଖ୍ରୀଷ୍ଟିଆନ୍ସ ଫୋରମ, ନାଗରିକ ଅଧିକାରର ସୁରକ୍ଷା ଆସୋସିଏଶନ ଓ ୟୁନାଇଟେଡ୍‌ ଏଗନେଷ୍ଟ ହେଟ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଉପରେ ୩୨ଟି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। କେବଳ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୬ଟି ଆକ୍ରମଣ ଘଟିଥିବା ରିପୋର୍ଟ ହୋଇଛି।

Share