ନାବାଳକଙ୍କୁ ଜୀବିତ କରିବା ପାଇଁ ଲୁଣ ବସ୍ତାରେ ଭର୍ତ୍ତି କଲେ ମୃତଦେହ, ସୋସିଆଲ ମିଡିଆରୁ ମିଳିଲା ଆଇଡିଆ, ତା’ ପରେ…

ବେଙ୍ଗାଲୁରୁ,୨୭।୧୨: ବିଂଶ ଶତାଦ୍ଦୀର ଆଧୁନିକ ଯୁଗରେ ପହଞ୍ଚିଲେ ବି ମଣିଷ ଆଜି ବି ଅନ୍ଧବିଶ୍ୱାସକୁ ମାନିଥାଏ। ଅନ୍ଧବିଶ୍ୱାସର ମିଛ ମାୟାରେ ଫସି ରହି ଧନ୍ଦି ହେବା ସହ ମିଛ ପ୍ରଳାପ କରେ। ଅନ୍ଧ ବିଶ୍ୱାସରୁ ଆହୁରି କ୍ଷତିକାରକ ହ୍ବାଟସଆପ ୟୁନିଭରସିଟିରୁ ଆସୁଥିବା ଭାଇରାଲ ନ୍ୟୁଜ। ଭାଇରାଲ ନ୍ୟୁଜରୁ ଲୋକେ ଏତେ ମାତ୍ରାରେ ପ୍ରଭାବିତ ହେଉଛନ୍ତି କି ମରିଯାଇଥିବା ଲୋକକୁ ଜୀବନ୍ତ କରିବାକୁ ବିଭିନ୍ନ ପ୍ରକାର ନୁସକା ଆପଣାଉଛନ୍ତି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ।

କର୍ନାଟକର ହାବୈରେ ଜିଲାର ଘାଲାପୁଜି ଗାଁରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ଏଠାରେ ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ତେବେ ସେମାନଙ୍କୁ ଜୀବିତ କରିବା ପାଇଁ ଗାଁ ଲୋକ ମୃତଦେହକୁ ୨୦୦କିଗ୍ରା ଲୁଣ ବସ୍ତାରେ ଭର୍ତ୍ତି କରିଦେଇଛନ୍ତି। ଲୋକଙ୍କୁ ଏପରି ସୂଚନା ସୋସିଆଲ ମିଡିଆ ଦ୍ୱାରା ମିଳିଛି।

ସୂଚନାଥାଉ କି, ଘାଲାପୁଜି ଗାଁର ଦୁଇ ନାବାଳକ ୧୧ବର୍ଷିୟ ନାଗରାଜ ଓ ୧୨ବର୍ଷିୟ ହେମନ୍ତଙ୍କ ପୋଖରୀରେ ଗାଧୋଇବା ସମୟରେ ବୁଡି ଯାଇ ମୃତ୍ୟୁ ହୋଇଛି। ଦୁଇ ପିଲାଙ୍କର ମୃତ୍ୟୁରେ ପରିବାରଲୋକଙ୍କ ସହ ସାରା ଗାଁ ଶୋକାକୁଳ ହୋଇ ପଡିଥିଲା। ଏହାରି ଭିତରେ ମୃତ ହେମନ୍ତଙ୍କ ବାପା ମାଲତୋଶଙ୍କୁ ଏକ ସୋସିଆଲ ମିଡିଆ ଦ୍ୱାରା ଏକ ଭାଇରାଲ ଖବରରୁ ଜଣାପଡିଥିଲା କି, ମୃତଦେହକୁ ଲୁଣ ବସ୍ତାରେ ଭର୍ତ୍ତି କରି ରଖିଲେ ମୃତବ୍ୟକ୍ତି ବି ଜୀବିତ ହୋଇ ଉଠିବ।
ଏହାପରେ ସେ ସୋସିଆଲ ମିଡିଆ ଦ୍ୱାରା ପ୍ରଭାବିତ ହୋଇ ନାଗରାଜଙ୍କ ବାପା ମାରୁତି ଓ ହେମନ୍ତଙ୍କ ବାପା ମାଲତୋଶ ଏବଂ କିଛି ଗ୍ରାମବାସୀ ମିଶି ଦୁଇ ମୃତଦେହକୁ ୨୦୦କିଗ୍ରା ଲୁଣ ବସ୍ତାରେ ଭର୍ତ୍ତି କରିଥିଲେ। କିନ୍ତୁ ୬ ଘଣ୍ଟାର ବ୍ୟବଧାନ ପରେ କିଛି ନ ହେଉଥିବା ଦେଖି ସେମାନେ ନିରାଶ ହୋଇ ପଡିଥିଲେ। ଏପରିକି ଲୁଣର କ୍ୱାଲିଟି ଖରାପ ଯୋଗୁ ପିଲା ଉଠୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଭାଇରାଲ ନ୍ୟୁଜକୁ ବିଶ୍ୱାସ ନ କରିବାକୁ କହିଥିଲେ। ଏହାପରେ ସେମାନେ ଦୁଇ ମୃତଦେହର ସଂସ୍କାର କରିଥିଲେ।

Share