ଲୋକଙ୍କ ଟାହିଟାପରା ଶୁଣି ଅନେକେ ଭାଙ୍ଗିପଡ଼ନ୍ତି, ହେଲେ ଆଉ କେତେକ ଏହାକୁ ନିଜର ସାମର୍ଥ୍ୟ କରିଦିଅନ୍ତି। ତା’ପରେ ସଫଳତା ଆପେ ଆପେ ମିଳିଯାଏ। ଠିକ୍ ଏମିତି କିଛି ଘଟିଛି ହର୍ଷ ଗୁପ୍ତାଙ୍କ ସହିତ। ମହାରାଷ୍ଟ୍ରର ଏହି ଯୁବକ ଏବେ ଆଇଆଇଟିର ଛାତ୍ର। ବହୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ହର୍ଷଙ୍କ ବାପା ଗୁପ୍ଚୁପ୍ ବିକ୍ରି କରନ୍ତି। ତେଣୁ ପାଠ ପଢ଼ିବା ପାଇଁ ସବୁ ସୁବିଧାସୁଯୋଗ ପାଇବା ତାଙ୍କ ପକ୍ଷରେ ସମ୍ଭବ ନ ଥିଲା। କିନ୍ତୁ ଆଇଆଇଟିରେ ପଢ଼ିବା ଥିଲା ତାଙ୍କର ସ୍ବପ୍ନ। ଏଥିପାଇଁ ସେ ନିରନ୍ତର ପରିଶ୍ରମ କରୁଥିଲେ। ଛୋଟବେଳରୁ ସେ ଭଲ ପଢୁଥିଲେ। ତେଣୁ ଯୁକ୍ତ୨ ପରେ ସେ ଜେଇଇ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପ୍ରଥମ ଥର ତାଙ୍କୁ ପରୀକ୍ଷାରେ ଅଧିକ ନମ୍ବର ମିଳି ନ ଥିବାରୁ ତାଙ୍କ ମନପସନ୍ଦର କଲେଜରେ ସିଟ୍ ପାଇ ନ ଥିଲେ। ତାଙ୍କର ଏହି ବିଫଳତା ପାଇଁ ସାଙ୍ଗସାଥୀ ଟାହିଟାପରା କରିଥିଲେ। ଏହା ଶୁଣି ସେ ମନଦୁଃଖ କରିଥିଲେ ସତ, କିନ୍ତୁ ହତୋତ୍ସାହିତ ହୋଇ ନ ଥିଲେ। ବରଂ ପୁଣି ଥରେ ଅଧିକ ପରିଶ୍ରମ କରି ପାଠ ପଢ଼ିବାର ଜିଦ୍ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା। ଅଳ୍ପ କିଛି ମାସର କୋଚିଂ ନେଇ ସେ ପୁଣି ଥରେ ଏଥର ପରୀକ୍ଷା ଦେଇଥିଲେ ଓ ୯୮.୫୯ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏବେ ତାଙ୍କର ସଫଳତାକୁ ନେଇ ସବୁଆଡେ ଖୁସିର ଲହରି। ଭବିଷ୍ୟତରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି ହର୍ଷ।


