ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍। ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବିହାର ରାଜ୍ୟ ମୁଜାଫରପୁରର ସଞ୍ଜୟ କୁମାର। ୨୫ ବର୍ଷ ହେଲା ସେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ସ୍ବାବଲମ୍ବୀ କରାଇବା ପାଇଁ ପ୍ରୟାସ ଚଳାଇଛନ୍ତି। ସେମାନଙ୍କୁ ମାନସିକଭାବେ ସଶକ୍ତ କରାଇବା ଉଦ୍ଦେଶ୍ୟରେ ମଧ୍ୟ ନାଚ, ଗୀତ, ଯୋଗ, କମ୍ପ୍ୟୁଟର, ପେଣ୍ଚିଂ, ହ୍ୟାଣ୍ଡିକ୍ରାଫ୍ଟ ଆଦି ଶିକ୍ଷା ଦେଉଛନ୍ତି। ୨୦୦୮ରୁ ସେ ଏହି କାମ କରି ଆସୁଛନ୍ତି। ଏବେ ସରକାରଙ୍କଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ପିଲାଙ୍କୁ ପଢ଼ାଇବାର ଅନୁମତି ବି ପାଇଛନ୍ତି। ଏଭଳି କାମ ପାଇଁ ତାଙ୍କୁ ଲୋକେ ଖୁବ୍ ସହଯୋଗ ବି କରୁଛନ୍ତି। ବିଭିନ୍ନ ସ୍ଥାନରୁ ଡୋନେସନ୍ ନେଇ ସେ ଏଭଳି ଶିକ୍ଷାଦାନ କରୁଛନ୍ତି। ତେବେ ସବୁ କାମ କରି ପାରିଥିବା ସଞ୍ଜୟ କିନ୍ତୁ ପ୍ରେରଣା ପାଇଛନ୍ତି ସମାଜର ନିନ୍ଦୁକ ଗୋଷ୍ଠୀଙ୍କଠାରୁ। ତାଙ୍କ କହିବା ଅନୁସାରେ, ତାଙ୍କ ମା’ ଦୃଷ୍ଟିବାଧିତ ଥିବାରୁ ଲୋକେ ତାଙ୍କୁ ଟାହିଟାପରା କରୁଥିଲେ। ଏଣୁ ସେ ଚିନ୍ତା କରିଥିଲେ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସେ ଏମିତି କିଛି କାମ କରିବେ ଯାହାଫଳରେ ଲୋକେ ସେମାନଙ୍କୁ ହୀନଦୃଷ୍ଟିରେ ଦେଖିବା ବଦଳରେ ସମ୍ମାନ କରିବେ। ଏଥିପାଇଁ ସେ ଶିକ୍ଷାଦାନକୁ ମାଧ୍ୟମ କରି ତାଙ୍କର କାର୍ଯ୍ୟ କରିଚାଲିଲେ। ଏବେ ତାଙ୍କର ଏହି କାର୍ଯ୍ୟ ଦିବ୍ୟାଙ୍ଗମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ମାର୍ଗ ଦେଖାଇଛି।


