ପ୍ରତିବର୍ଷ ଗ୍ରୀଷ୍ଣଋତୁରେ ବେଙ୍ଗାଲୁରୁ ସହରରେ ଜଳ ସଙ୍କଟ ଦେଖାଯାଏ। ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଗଣେଶ ସନଭାଗଙ୍କ ଚେଷ୍ଟା ଯୋଗୁ ଏବେ ୩୦୦ ଆପାର୍ଟମେଣ୍ଟ ପୂର୍ବ ଭଳି ଟ୍ୟାଙ୍କର ଉପରେ ନିର୍ଭର କରୁନାହାନ୍ତି। କାରଣ ସେମାନେ ବର୍ଷାଜଳ ସଂରକ୍ଷଣ କରି ତାହାକୁ ବ୍ୟବହାର କରୁଛନ୍ତି। ଗଣେଶ ଏହି ସବୁ ଆପାର୍ଟମେଣ୍ଟରେ ବର୍ଷାଜଳ ସଂରକ୍ଷଣ କରିବା ଲାଗି ଲୋକଙ୍କୁ ସହଯୋଗ କରୁଛନ୍ତି ଏବଂ ସେ ଡିଜାଇନ କରିଥିବା ସିଷ୍ଟମରେ ବର୍ଷାଜଳ ସଂରକ୍ଷଣ ହେବା ସହ ତାହାକୁ ଫିଲଟର କରାଯାଉଛି। ଏହି ଜଳକୁ ମଧ୍ୟ ପିଇବା ପାଇଁ ବ୍ୟବହାର କରାଯାଉଛି। ସମ୍ପୂର୍ଣ୍ଣ ସିଷ୍ଟମଟି ବସାଇବା ଲାଗି ୩ ଲକ୍ଷରୁ କମ୍ ଟଙ୍କା ଖର୍ଚ୍ଚ ହେଉଛି। ପ୍ରଥମେ ସେ ୧୦୦ ଫ୍ଲାଟ ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ବର୍ଷାଜଳ ସଂରକ୍ଷଣ ସିଷ୍ଟମ ଲଗାଇବା ପରେ ସେ ଦୁଇମାସରେ ପାଣିବିଲ୍ରେ ୨ ଲକ୍ଷ ଟଙ୍କା ବଞ୍ଚାଇ ପାରିଥିଲେ। ପରେ ସେ ଏହି ସିଷ୍ଟମକୁ ଅନ୍ୟ ଆପାର୍ଟମେଣ୍ଟକୁ ସମ୍ପ୍ରସାରଣ କରିଥିଲେ। ଏବେ ୩୦୦ ଆପାର୍ଟମେଣ୍ଟରେ ଏହା ଚାଲୁ କରାଯାଇଛି। ବର୍ଷାଜଳ ଅଧିକ ସଂରକ୍ଷଣ ହେବା ପରେ ବଳକାକୁ ସକ୍ପିଟକୁ ପଠାଇଦିଆଯାଉଛି, ଯାହା ଭୂତଳ ଜଳସ୍ତର ବଜାୟ ରଖିବାରେ ସାହାଯ୍ୟ କରୁଛି।

