ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍ ମାନି ନାହାନ୍ତି। ଡାକ୍ତର ନ ହୋଇ ମଧ୍ୟ ପରିଣତ ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟ ସେ ଦୀର୍ଘ ୪୩ ବର୍ଷ ହେଲା କରି ଆସୁଛନ୍ତି। ମହମ୍ମଦ ଅବଦୁଲ ଓ୍ବହାବ ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ପାଲ ୧୯୮୦ରେ ସଦର୍ନ ହେଲ୍ଥ ଇମ୍ପୃଭମେଣ୍ଟ ସମିତି (ଏସ୍ଏଚ୍ଆଇଏସ୍) ସଂସ୍ଥା ଗଠନ କରି ଏହା ସାହାଯ୍ୟରେ ସେବା ଅଭିଯାନ ଜାରି ରଖିଛନ୍ତି। ମହମ୍ମଦ ଜଣେ ଆଇନଜୀବୀ ଓ ସାବିତ୍ରୀ ଜଣେ ଶିକ୍ଷକ ଥିଲେ। ସେମାନେ ଏହାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସୁନ୍ଦରବନରେ ଥିବା ଛୋଟବଡ଼ ୩୦ଟି ଟାପୁରେ ବୋଟ କ୍ଲିନିକ ଦ୍ୱାରା ଏହା କରୁଛନ୍ତି। ପ୍ରତ୍ୟେକ କ୍ଲିନିକରେ ଡାକ୍ତର, ନର୍ସ, ଜଣେ ଏକ୍ସ-ରେ ଟେକ୍ନିସିଆନ, ଜଣେ ଲାବୋରେଟୋରି ଟେକ୍ନିସିଆନ ଓ ଜଣେ ଫାର୍ମାସିଷ୍ଟ ରହିଛନ୍ତି। ଏଡି କ୍ଲିନିକରେ ଦୁଇଟି ମେଡିକାଲ ବେଡ୍, ମୋବାଇଲ ଏକ୍ସ-ରେ, ପାଥୋଲୋଜିକାଲ ୟୁନିଟ, ମେଡିକାଲ ଷ୍ଟୋର୍ ରୁମ୍ ଏବଂ ଏକ ଅକ୍ସିଜେନ ସିଲିଣ୍ଡର ରଖାଯାଇଛି। ଏହିଭଳି ୪ଟି ବୋଟ କ୍ଲିନିକ ରହିଛି। ମୁଖ୍ୟତଃ ଯକ୍ଷ୍ମା ରୋଗ ଚିହ୍ନଟ ଲାଗି ଏହା ଅଧିକ ଗୁରୁତ୍ୱ ଦେଉଛି। ଏଥିରେ ନିଯୁକ୍ତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଦମ୍ପତି ଦରମା ଦେଉଛନ୍ତି।


