Categories: ଜାତୀୟ

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ରାଜନୀତିରୁ ଦୂରେଇ ରଖିବା, କଳଙ୍କିତ ଲୋକଙ୍କୁ ଟିକେଟ ନ ଦେବା ଏବଂ ସାମାଜିକ ସମୀକରଣ ବଜାୟ ରଖିବା ପାଇଁ ଦଳ ଉଦ୍ୟମ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୁମଲଙ୍କୁ ଟିକେଟ ଦିଆଯାଇ ନାହିଁ। ଏହା ବ୍ୟତୀତ ଅନୁରାଗ ଠାକୁରଙ୍କ ଶ୍ୱଶୁର ଗୁଲାବ ସିଂଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ୨୦୧୭ ରେ ଉଭୟ ନେତା ବିଧାନସଭା ନିର୍ବାଚନରେ ହାରିଥିଲେ ଏବଂ ଏବେ ତାଙ୍କୁ ୭୫ ବର୍ଷରୁ ଅଧିକ ହୋଇଛି। ତେଣୁ ଦଳ ତାଙ୍କୁ ଏଥର ନିର୍ବାଚନ ରାଜନୀତିରୁ ଦୂରେଇ ରଖିଛି। ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର ଅନୁସାରେ ପରିବାରର ଜଣକୁ ଟିକଟ ପ୍ରଦାନ ଏବଂ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବା ମନା କରାଯାଇଛି।

ଯଦିଓ ଏହା କୁହାଯାଉଛି ଯେ ପ୍ରେମ କୁମାର ଧୁମାଲ ଏହାକୁ ଅନୁଭବ କରିସାରିଛନ୍ତି। ଏହି କାରଣରୁ ସେ ଦଳର ହାଇକମାଣ୍ଡଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବର୍ତ୍ତମାନ ମୁଁ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ ଏବଂ ମୋର ବୟସ ୭୮ ବର୍ଷ ହୋଇଯାଇଛି। ଏହା ବ୍ୟତୀତ ଧର୍ମପୁରର ବିଧାୟକ ମହେନ୍ଦ୍ର ସିଂ ଠାକୁର ତଥା ଜୟ ରାମ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇପାରି ନାହାଁନ୍ତି। ବୃଦ୍ଧାବସ୍ଥା ହେତୁ ତାଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିନି।ତେବେ ତାଙ୍କ ପୁଅ ରାଜନ ଠାକୁର ଏଥର ଭାଜପା ପକ୍ଷରୁ ନିର୍ବାଚନ ଲଢ଼ିବେ।

ଭାଜପା ୧୧ ଜଣ ବିଧାୟକଙ୍କ ଟିକେଟ କାଟିଛି। ତେବେ ମହେନ୍ଦ୍ର ସିଂ ଠାକୁରଙ୍କ ପରିବାରରେ କେବଳ ପୁଅ ଟିକେଟ ପାଇଛନ୍ତି। ଏହା ବ୍ୟତୀତ ରାକେଶ ପଠାନିଆ ଏବଂ ସୁରେଶ ଭରଦ୍ୱାଜଙ୍କ ଆସନ ପରିବର୍ତ୍ତନ କରାଯାଇଛି।

Share