Categories: ଜାତୀୟ

ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ ଅଧିବେଶନ ବିଫଳ ହୋଇଛି। ତେଣୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସତ୍ତା ହରାଇବ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ଉଦୟପୁର ଚିନ୍ତନ ଶିବିରର ଫଳାଫଳ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମତରେ ଚିନ୍ତନ ଶିବିରରୁ ଦଳ କିଛି ହାସଲ କରିନାହିଁ। କେବଳ ଦଳର ସ୍ଥିତାବସ୍ଥାକୁ ଅଧିକ ଦିନ ଜାରି ରଖିବା ଓ କଂଗ୍ରେସ ନେତୃତ୍ୱକୁ ଗୁଜରାଟ ଓ ହିମାଚଳରେ ସତ୍ତା ହରାଇବା ପର୍ଯ୍ୟନ୍ତ ସୁଯୋଗ ଦେବାକୁ ସମୟ ମିଳିଛି ବୋଲି କିଶୋର ଏକ ପୋଷ୍ଟରେ ଲେଖିଛନ୍ତି।
୨୦୧୪ରୁ କ୍ରମାଗତ ଭାବେ କଂଗ୍ରେସ ନିର୍ବାଚନ ହାରିବା ପରେ କଠୋର ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇ ଚିନ୍ତନ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ କରିଥିଲା। ତେବେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ, କିଶୋର କଂଗ୍ରେସରେ ଯୋଗଦେବା ନେଇ କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଚିନ୍ତନ ବୈଠକର କିଛିଦିନ ପୂର୍ବରୁ ସେ ୨୦୨୪ ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ କେତେକ ପ୍ରସ୍ତାବ ଦେଇଥିଲେ। ତାଙ୍କୁ କ୍ଷମତାସମ୍ପନ୍ନ କାର୍ଯ୍ୟକାରୀ ଗ୍ରୁପ୍‌ରେ କାମ କରିବାକୁ କୁହାଯିବାରୁ ସେ ନିଜକୁ ଦଳଠାରୁ ଦୂରେଇ ରଖିଥିଲେ। ଦଳ ସମ୍ବିଧାନରେ ଏଭଳି ଗ୍ରୁପ୍‌ର କୌଣସି କର୍ତ୍ତୃତ୍ୱ ନ ଥିବା କିଶୋର କହିଥିଲେ।

Share