ଗଞ୍ଜାମରେ ସ୍ବତ୍ୱଧାରୀ ଚାଷୀଙ୍କୁ ମିଳିବ ସ୍ଥିତିବାନ ପଟ୍ଟା,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୦।୨(ସନ୍ତୋଷ ପାଢୀ/ଦିଲୀପ ସାମଲ)- ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ଓଡିଶା ଭୂସଂସ୍କାର ଆଇନ ୧୯୬୦ରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି। ଏହାଫଳରେ ସିକିମ ସ୍ବତ୍ୱାଧିକାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନର ଶୁଭାରମ୍ଭ ହୋଇଛି। ସିକିମ ଚାଷୀମାନେ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତରୀ ଯୋଗ୍ୟ ଅଧିକାର ପାଇବେ ବୋଲି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲାରେ ୭୧୦ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି । ଗଞ୍ଜାମ ତହସିଲର ୧୩ ଜଣ, ଖଲିକୋଟ ତହସିଲର ୨ ଜଣ, ହିଂଜିଳି ତହସିଲ ର ୪୮ ଜଣ, ପୁରୁଷୋତ୍ତମପୁର ତହସିଲର ୧୬୬ ଜଣ, ଛତ୍ରପୁର ତହସିଲର ୧୦୫ ଜଣ, ବ୍ରହ୍ମପୁର ତହସିଲର ୩ଜଣ, କୁକୁଡାଖଣ୍ଡି ତହସିଲ ର ୨୨୦ ଜଣ, ଚିକଟି ତହସିଲ ର ୨୩ ଜଣ ଓ କନିଷି ତହସିଲର ୧୩୦ ଜଣଙ୍କୁ ଏହି ପଟ୍ଟା ମିଳିଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।