ଗଜପତିରେ କଂଗ୍ରେସଠାରୁ ପଛରେ ଭାଜପା

ପାରଳାଖେମୁଣ୍ଡି,୩।୩(ଡି.ଏନ.ଏ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଜପତି ଜିଲାରେ ନୂଆ ଇତିହାସ ରଚିଛି। ଜିଲାର ମୋଟ ୧୪ଟି ଜିଲା ପରିଷଦ ଆସନରୁ ଦଳ୧୧ଟିରେ ବିଜୟ ଲାଭ କରିଛି । ଅନ୍ୟ ୩ଟି ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ଗୋଟିଏ ଆସନରେ ଭାଜପା ପ୍ରାର୍ଥୀ ହାତଗଣତି ଭୋଟ ବ୍ୟବଧାନରେ ଜିତିବାରେ ସକ୍ଷମ ହୋଇଛନ୍ତି।

ଗତ ୨୦୧୭ ଜିଲା ପରିଷଦ ନିର୍ବାଚନରେ ବିଜେଡି ମାତ୍ର ୫ଟି ଆସନରେ ବିଜୟ ହାସଲ କରିଥିବା ବେଳେ ଭାଜପା ୩ଟି ଏବଂ କଂଗ୍ରେସ ସର୍ବାଧିକ ୬ଟି ଆସନ ଅକ୍ତିଆର କରିଥିଲା । ଅନ୍ୟପକ୍ଷରେ ଗତ ବିଧାନସଭା ନିର୍ବାଚନରେ ଜିଲାର ଥିବା ୨ଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡିରେ ଭାଜପା ଓ ମୋହନା ଆସନଟି କଂଗ୍ରେସ ଦଖଲ କରିଥିଲା । ତେବେ ଗତ ୨ଟି ନିର୍ବାଚନରେ ଜିଲାରେ ବିଜେଡିର ସ୍ଥିତି ସେଭଳି ଭଲ ନ ଥାଇ ବି ଚଳିତ ନିର୍ବାଚନରେ ସର୍ବାଧିକ ୧୧ଟି ଆସନ ଦଖଲ କରିଛି। ଦଳର ସଫଳତା ନେଇ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଜିଲା ସଭାପତି ପ୍ରଦୀପ ନାୟକ, ଡ.ତିରୁପତି ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନମୂଳକ ଯୋଜନା ଓ ଲୋକହିତକର କାର୍ଯ୍ୟରେ ଗ୍ରାମାଞ୍ଚଳର ଲୋକେ ସନ୍ତୁଷ୍ଟ ହୋଇ ଠିକ ରାୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଏଭଳି ସଫଳତା କାମନା କରି ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି।