Categories: ଜାତୀୟ

ରାହୁଲଙ୍କ ସାମ୍ନାରେ ଚନ୍ନି-ସିଦ୍ଧୁ କୋଳାକୋଳି

ଚଣ୍ଡିଗଡ,୨୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପଞ୍ଜାବ ଗସ୍ତ ସମୟରେ ରାଜ୍ୟରେ ଦଳୀୟ ମତଭେଦ ଦୂର ହେବା ପରି ଲାଗୁଛି। ରାହୁଲଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପରସ୍ପର ଆଲିଙ୍ଗନ କରି କହିଛନ୍ତି ସେମାନଙ୍କ ମଧ୍ୟରେ କୌଣସି ଲଢେଇ ନାହିଁ। ଜଲନ୍ଧରରେ ଏକ ଭର୍ଚୁଆଲ ରାଲିରେ ଚନ୍ନି ରାହୁଲ ଗାନ୍ଧୀଙ୍କ ସାମ୍ନାରେ କହିଛନ୍ତି, ଲୋକମାନେ କୁହନ୍ତି ଯେ ଆମର ଝଗଡା ଅଛି, କିନ୍ତୁ ତାହା ନୁହେଁ। ରାହୁଲ ଜୀ, ଆପଣ ପଞ୍ଜାବ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଘୋଷଣା କରନ୍ତୁ,ଆମେ ଏକଜୁଟ ରହିବୁ। ଆପଣଙ୍କୁ ଅନୁରୋଧ କରୁଛନ୍ତି, ମୁଁ କୌଣସି ପୋଷ୍ଟ ଚାହୁଁ ନାହିଁ। ଠିକ ଅନୁଭବ କରୁଥିବା ଚେହେରାକୁ ଘୋଷଣା କରନ୍ତୁ। ଯାହାକୁ ଛିଡା କରିବେ, ମୁଁ ତାଙ୍କ ପାଇଁ ପ୍ରଚାର କରିବି। ଆମ ସରକାର ଆସିବା ଉଚିତ୍‌ ବୋଲି ଚନ୍ନି କହିଛନ୍ତି।
ଜଲନ୍ଧରରୁ ଅନଲାଇନରେ ଲୋକଙ୍କୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି, ଯଦି କଂଗ୍ରେସ ଦଳ ଏବଂ ପଞ୍ଜାବ ଚାହୁଁଛି ତେବେ ଆମେ ମୁଖ୍ୟମନ୍ତ୍ରୀ ଚେହେରା ବିଷୟରେ ନିଷ୍ପତ୍ତି ନେବୁ। ଆମର କଂଗ୍ରେସ କର୍ମୀଙ୍କୁ ପଚାରିବା ପରେ ଆମେ ଏହି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Share