ନୂଆଦିଲ୍ଲୀ,୭।୬: ପଶ୍ଚିମ ଏସିଆ (ମିଡିଲ ଇଷ୍ଟ)ରେ ଜାରି ରହିଥିବା ଯୁଦ୍ଧ ଏବଂ ଆକାଶଛୁଆଁ ତେଲ ଦର ମଧ୍ୟରେ ଦିଲ୍ଲୀର ଗାଡ଼ି ଚାଳକଙ୍କ ପାଇଁ ଏକ ବେଶ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶର ରାଜଧାନୀରେ ଏବେ ପେଟ୍ରୋଲର ଏକ ସ୍ୱତନ୍ତ୍ର କିସମ ସିଏନଜି (CNG) ଠାରୁ ବି କମ ଦାମରେ ମିଳିବାକୁ ଯାଉଛି। ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଦିଲ୍ଲୀରେ ଏହି ଖାସ ପେଟ୍ରୋଲକୁ ଲଞ୍ଚ କରିଛନ୍ତି, ଯାହାର ମୂଲ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।
ଦିଲ୍ଲୀରେ ଯେଉଁଠି ସାଧାରଣ ସିଏନଜି (CNG)ର ମୂଲ୍ୟ କିଲୋଗ୍ରାମ ପିଛା ୮୩.0୯ ଟଙ୍କାରେ ପହଞ୍ଚିଛି, ସେଠାରେ ଲଞ୍ଚିଂ ସମୟରେ ଏହି ନୂଆ ସ୍ୱତନ୍ତ୍ର ପେଟ୍ରୋଲ (E85 Petrol)ର ମୂଲ୍ୟ ମାତ୍ର ୮୨.୧୨ ଟଙ୍କା ପ୍ରତି ଲିଟର ଧାର୍ଯ୍ୟ କରାଯାଇଛି। ଅର୍ଥାତ ଏହି ନୂଆ ଇନ୍ଧନ ସିଏନଜି ତୁଳନାରେ ପ୍ରାୟ ୯୭ ପଇସା ଶସ୍ତା ପଡ଼ୁଛି।
ଯଦି ଆପଣ ଭାବୁଛନ୍ତି ଯେ ନିଜର ସାଧାରଣ କାର୍ କିମ୍ୱା ବାଇକ ନେଇ ଆପଣ ଏହି ଶସ୍ତା ପେଟ୍ରୋଲ ପକାଇଦେବେ, ତେବେ ଟିକେ ଅଟକି ଯାଆନ୍ତୁ। ଏହି ବଡ଼ ଆଶ୍ୱସ୍ତି ସହିତ ଏକ ବଡ଼ ସର୍ତ୍ତ ମଧ୍ୟ ଜଡ଼ିତ ଅଛି। ଏହି ଖାସ ଇନ୍ଧନକୁ ‘E85’ ନାମ ଦିଆଯାଇଛି, କାରଣ ଏଥିରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଏଥାନଲ (Ethanol) ମିଶ୍ରଣ କରାଯାଇଛି। ଏହି ପେଟ୍ରୋଲ ଆପଣଙ୍କ ସାଧାରଣ ଗାଡ଼ିର ଇଞ୍ଜିନକୁ ନଷ୍ଟ କରିଦେଇପାରେ। ଏହାର ବ୍ୟବହାର କେବଳ ସେହି ସୱତନ୍ତ୍ର E85 ଗାଡ଼ିଗୁଡ଼ିକ (Flex-Fuel Vehicles)ରେ ହିଁ କରାଯାଇପାରିବ, ଯାହାକୁ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଏହି ଇନ୍ଧନ ଅନୁଯାୟୀ ପ୍ରସ୍ତୁତ କରୁଛନ୍ତି।
ଯେହେତୁ କମ୍ପାନୀଗୁଡ଼ିକ ଏହି ବର୍ଗର ଗାଡ଼ିଗୁଡ଼ିକୁ ନିକଟରେ ହିଁ ବଜାରକୁ ଆଣିବା ଆରମ୍ଭ କରିଛନ୍ତି, ତେଣୁ ବର୍ତ୍ତମାନ ଦିଲ୍ଲୀ ରାସ୍ତାରେ ଏଭଳି ଗାଡ଼ିର ସଂଖ୍ୟା ନାହିଁ କହିଲେ ଚଳେ।
ପ୍ରାଥମିକ ପର୍ଯ୍ୟାୟରେ ଏହି ସୱତନ୍ତ୍ର ପେଟ୍ରୋଲ ଦିଲ୍ଲୀର ୭ଟି ମନୋନୀତ ପେଟ୍ରୋଲ ପମ୍ପରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଜଣେ ପେଟ୍ରୋଲ ପମ୍ପ ପରିଚାଳକଙ୍କ କହିବା ଅନୁଯାୟୀ, E85 ଇନ୍ଧନ ବିକ୍ରି କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ଭିତ୍ତିଭୂମି (Infrastructure) ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପମ୍ପଗୁଡ଼ିକରେ ଅଲଗା ଷ୍ଟୋରେଜ ଟ୍ୟାଙ୍କ, ସୱତନ୍ତ୍ର ନୋଜଲ ମେସିନ ଏବଂ ସୱତନ୍ତ୍ର ପାଇପଲାଇନ ବିଛାଯାଇଛି।
ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଏବଂ ଭାରତ ପେଟ୍ରୋଲିୟମ (BPCL) ଭଳି ସରକାରୀ ତେଲ କମ୍ପାନୀଗୁଡ଼ିକ ହିଁ ଏହାର ଯୋଗାଣ କରିବେ ଏବଂ ଏହାର ପରିବହନ (Transportation) ପାଇଁ ଟ୍ୟାଙ୍କର ମଧ୍ୟ ସମ୍ପୂର୍ଣ୍ଣ ଅଲଗା ରହିବ। ଯେମିତି ଯେମିତି ବଜାରରେ ଫ୍ଲେକ୍ସ-ଫ୍ୟୁଲ (Flex-Fuel) ଗାଡ଼ିର ସଂଖ୍ୟା ବଢ଼ିବ, ସେମିତି ସେମିତି ଦିଲ୍ଲୀର ଅନ୍ୟ ପମ୍ପଗୁଡ଼ିକରେ ମଧ୍ୟ ଏହି ସୁବିଧାର ସମ୍ପ୍ରସାରଣ କରାଯିବ।
ଏହି ନୂତନ ପଦକ୍ଷେପ ଦ୍ୱାରା କେବଳ ଗାଡ଼ି ଚାଳକମାନେ ଉପକୃତ ହେବେ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଗ୍ରାମୀଣ ଭାରତକୁ ମଧ୍ୟ ଏକ ବଡ଼ ସହାୟତା ମିଳିବ। ଦେଶ ଭିତରେ ହିଁ ଏଥାନଲ ପ୍ରସ୍ତୁତ ହେବା ଦ୍ୱାରା ଅଶୋଧିତ ତେଲ (କ୍ରୁଡ ଅଏଲ) ପାଇଁ ବିଦେଶ ଉପରେ ଭାରତର ର୍ନିଭରଶୀଳତା ହ୍ରାସ ପାଇବ, ଯାହା ଫଳରେ ଆମର ମୂଲ୍ୟବାନ ବୈଦେଶିକ ମୁଦ୍ରା ଭଣ୍ଡାର ବାହାରକୁ ଯିବାରୁ ରକ୍ଷା ପାଇବ।
ଏଥାନଲକୁ ଆଖୁ, ଶସ୍ୟ ଏବଂ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟର ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଏ। ଏଭଳି ପରିସ୍ଥିତିରେ, ଏହି ଇନ୍ଧନର ଚାହିଦା ବଢ଼ିବା ଦ୍ୱାରା ଦେଶର ଅନ୍ନଦାତା (ଚାଷୀ)ମାନେ ସେମାନଙ୍କ ଫସଲର ବର୍ଜ୍ୟବସ୍ତୁର ମଧ୍ୟ ଭଲ ମୂଲ୍ୟ ପାଇପାରିବେ, ଯାହା ସେମାନଙ୍କ ଆୟକୁ ବହୁ ଗୁଣ ଗୁଣିତ କରିବ।